ଚନ୍ଦ୍ରପୁର,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ରାମାନାକୁପୁଲି ଛକ ନିକଟରେ ପୁଣି ମାଓ ବ୍ୟାନର ଦେଖିବାକୁ ମିଳିଛି । କିଛି ମାସ ପୂର୍ବରୁ ସେହି ସ୍ଥାନରେ ମାଓଙ୍କ ବ୍ୟାନର ସହ କିଛି ପୋଷ୍ଟର ମଧ୍ୟ ମିଳିଥିଲା । ପୁଣି ଏହା ଦେଖି ଅଞ୍ଚଳବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି । ରାୟଗଡ଼ା ଜିଲ୍ଲାର ନିର୍ଦ୍ଦୋଷ ଓ ଜନ ଆନ୍ଦୋଳନକାରୀଙ୍କୁ ରାତି ଅଧିଆ କିମ୍ବା ବାଟଘାଟରେ ପୁଲିସ ଉଠେଇ ନେଉଛି ଏବଂ ସେମାନଙ୍କୁ ମାଡ଼ ମାରିବା ସହ ମିଛ ମାମଲାର ଫସେଇ ଗିରଫ କରୁଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ତେଣୁ ପୁଲିସ ଏସବୁ ବନ୍ଦ କରିବା ସହ ଜେଲରେ ଥିବା ସମସ୍ତ ବନ୍ଦୀଙ୍କୁ ତୁରନ୍ତ ଖଲାସ କରିବା ପାଇଁ ମାଓ ସଂଗଠନ ଦାବୀ କରିଛି । ଏସବୁ ଚକ୍ରାନ୍ତ ପଛରେ ବିଜେଡିର ହାତ ରହିଛି । ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରାକା, ରାଜ୍ୟ ଉପସଭାପତି ଏନ ଭାସ୍କର ରାଓ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସଙ୍କ ଉପରେ ମାଓ ସଂଗଠନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବ୍ୟାନରରେ ଦର୍ଶାଯାଇଛି । ଏହି ପୋଷ୍ଟର ବିଜିଏନ ଡିଭିଜନ ଓ ସିପିଆଇ-ମାଓ ସଂଗଠନ ପକ୍ଷରୁ ଜାରି କରାଯାଇଥିବା ନେଇ ମଧ୍ୟ ଉଲ୍ଲେଖ ରହିଛି ।