ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଡନୀ ରୋଗୀଙ୍କ ଡାୟଲେସିସ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ଚୋରି ଅଭିଯୋଗରେ ଦେବଗଡ଼ ଥାନା ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଡାୟଲେସିସ ସେଣ୍ଟର ମ୍ୟାନେଜର ଯଶୋବନ୍ତ ମହାନନ୍ଦ ଓ ଆଟେଣ୍ଡାଣ୍ଟ ଅଜିତ ମୁଖି । ପୁଲିସ ସୂତ୍ରରୁ ମିଳିଥିବା ଅଭିଯୋଗ ଅନୁଯାୟୀ, ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଡାୟଲେସିସ ୟୁନିଟ ସ୍ଥାପନା କରାଯାଇଥିବାବେଳେ ଏହାର ପରିଚାଳନା ଦାୟିତ୍ୱ ରାହି କେୟାର ନାମକ ଏକ ସଂସ୍ଥାକୁ ପ୍ରଦାନ କରାଯାଇଛି । ତେବେ ଉକ୍ତ ସଂସ୍ଥା ପକ୍ଷରୁ ନିୟୋଜିତ ଉପରୋକ୍ତ ୨ କର୍ମଚାରୀ ଗତ ୧୧ ତାରିଖ ସନ୍ଧ୍ୟାରେ ଏକ ଅଟୋ ଯୋଗେ ଡାୟଲେସିସ ସେଣ୍ଟରରୁ ବିଭିନ୍ନ ସାମଗ୍ରୀ ନେଉଥିବାବେଳେ ସେଠାରେ ନିୟୋଜିତ ସୁରକ୍ଷାକର୍ମୀ ଏହାକୁ ଅଟକାଇ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ସୂଚନା ଆଧାରରେ ବିଭାଗୀୟ ତଦନ୍ତ ବେଳେ ୨ କର୍ମଚାରୀ ଏହାକୁ କଣ୍ଢଳସ୍ଥିତ ଏକ ଘରୋଇ ନର୍ସିଂ ହୋମକୁ ପଠାଉଥିବା ଜାଣିବାକୁ ପାଇଥିଲେ । ଫଳରେ ଡାକ୍ତରଖାନା କର୍ତ୍ତୃପକ୍ଷ ୨ କର୍ମଚାରୀଙ୍କ ବିରୁଦ୍ଧରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରିଛି ବୋଲି ଆଦର୍ଶ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି ।