ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ଆକାଉଣ୍ଟସ ଅଫିସର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଅଙ୍ଗନବାଡି କୋଠା ନିର୍ମାଣ କରିଥିବା ଜଣେ ଠିକାଦାରଙ୍କ ବିଲ ପାସ କରିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଦେବଗଡ଼ ଦୁର୍ନୀତି ନିବାରଣ ବିଭାଗ ସମ୍ପୃକ୍ତ ଅଫିସରଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ରାଜେନ୍ଦ୍ର ଦାସ । ମିଳିଥିବା ରିପୋର୍ଟ ମୁତାବକ, ରିଆମାଳ ବ୍ଲକ ଅଧୀନ ଟିଙ୍କବୀର ଗ୍ରାମରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ବାବଦରେ ବିଲ ପାସ କରିବାକୁ ଠିକାଦାର ବିଜୟ ନାୟକଙ୍କଠାରୁ ଶ୍ରୀ ଦାସ ୬ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ । ବିଜୟଙ୍କ ଅଭିଯୋଗ ଆଧାରରେ ଦେବଗଡ଼ ଦୁର୍ନୀତି ନିବାରଣ ବିଭାଗ ଡିଏସପି ଯୋଗେଶ ପ୍ରସାଦ ପଟେଲଙ୍କ ନେତୃତ୍ୱରେ ଭିଜିଲାନ୍ସ ବିଭାଗ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଛକି ରହିଥଲେ । ଠିକାଦାର ବିଜୟଙ୍କଠାରୁ ଶ୍ରୀ ଦାସ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ରାଜେନ୍ଦ୍ରଙ୍କ ବେଆଇନ ସମ୍ପତ୍ତି ଠୁଳ ନେଇ ପୂର୍ବରୁ ମଧ୍ୟ ନିଜ ବିଭାଗରେ ଚର୍ଚ୍ଚା ହେଉଥିଲା ।