ନୂଆଦିଲ୍ଲୀ: ବାତ୍ୟା ‘ବିପର୍ଯ୍ୟୟ’ ଭାରତର ପଶ୍ଚିମ ତଟରେ ରୌଦ୍ର ରୂପ ଦେଖାଇବା ଆରମ୍ଭ କରିଦେଇଛି । ଫଳରେ ମୁମ୍ବାଇଠୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ଦ୍ରୁତ ଗତିରେ ପବନ ବହୁଛି । ୧୫ ତାରିଖ ଦ୍ୱିପ୍ରହର ସୁଦ୍ଧା ବାତ୍ୟା ସ୍ଥଳଭାଗ ଛୁଇଁବ । ଗୁଜରାଟର ସୌରାଷ୍ଟ୍ର ଓ ପାକିସ୍ତାନର କରାଚି ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ସର୍ବାଧିକ ୧୫୦ କିମି ରହିବା ନେଇ ଅନୁମାନ କରାଯାଉଛି । ସେଥିପାଇଁ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ଏଥିରେ ପ୍ରସ୍ତୁତିକୁ ନେଇ ସମୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗୁଜରାଟର କଚ୍ଛ ଓ ସୌରାଷ୍ଟ୍ର କ୍ଷେତ୍ରରେ ଅରେଞ୍ଜ ଆଲର୍ଟ ଦିଆଯାଇଛି । ଖରାପ ମୌସୁମୀ ଯୋଗୁ ମୁମ୍ବାଇ ଏୟାରପୋର୍ଟରେ ବିମାନ ଚଳାଚଳରେ ସମସ୍ୟା ଦେଖାଦେଇଛି । ରବିବାର ବିଳମ୍ବିତ ରାତିରେ ଅନେକ ବିମାନ ଡେରିରେ ଉଡ଼ାଣ ଭରିଥିବାବେଳେ ଆଉ କିଛି ବାତିଲ କରାଯାଇଛି ।