ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା କୃଷି କାର୍ଯ୍ୟାଳୟ ଓ ଜିଲ୍ଲା ପେଞ୍ଚକ୍ ସିଲଟ ଆସୋସିଏସନ୍ ତରଫରୁ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପରିସରରେ ୩ୟ ଜିଲ୍ଲାସ୍ତରୀୟ ପେଞ୍ଚକ୍ ସିଲଟ ଚାମ୍ପିୟନସିପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଭାଗ ନେଇଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ଉପକୃଷି ଅଧିକାରୀ ଭେଙ୍କେଟ ରେଡ୍ଡୀ,ସମ୍ମାନିତ ଅତିଥିଭାବେ ଆଇନଜୀବୀ ରାମ ପ୍ରସାଦ ପାତ୍ର, ଜିଲ୍ଲା କ୍ରୀଡ଼ା ସଂଘର ସହସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଡିପିସି ମୃତ୍ୟୁଞ୍ଜୟ ଖଣ୍ଡପାନ, ହିମାଂଶୁ ତୁରୁକ, ଶିକ୍ଷକ ଜେ. ମୁରଲୀ ଓ ଉପସଭାପତି ରସାନନ୍ଦ ସତନାମୀ ଯୋଗ ଦେଇଥିଲେ । ନବରଙ୍ଗପୁର ଜିଲ୍ଲାକୁ ମାତ୍ର ୫ ବର୍ଷ ହେଲା ଏହି ପେଞ୍ଚକ୍ ସିଲଟ କ୍ରୀଡ଼ା କୌଶଳ ଆସିଥିଲେ ମଧ୍ୟ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଦେଶ ବିଦେଶକୁ ଯାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ବୋଲି ଅତିଥିମାନେ କହିଥିଲେ । ଏହି କ୍ରୀଡ଼ା କୌଶଳ ଶିକ୍ଷା ଗ୍ରହଣ କରିଥିବା ବ୍ୟକ୍ତି ନିଜ ଆତ୍ମରକ୍ଷାରେ ସହାୟକ ହେବାସହ ଏହା ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିଥାଏ । ଏହାଦ୍ୱାରା ଭବିଷ୍ୟତରେ ସରକାରୀ ଓ ବେସରକାରୀସ୍ତରରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପେଞ୍ଚକ୍ ସିଲଟ ଆସୋସିଏସନର ସାଧାରଣ ସମ୍ପାଦକ ହରିଶ ଚନ୍ଦ୍ର ବେହେରା ପରିଚାଳନା କରିଥିଲେ । ଆନ୍ତର୍ଜାତିକ ମିଲେଟ ବର୍ଷ ପାଳନ ଅବସରରେ ଏହି କାର୍ଯ୍ୟକ୍ରମରେ ଡାବୁଗାଁ ଡେମୋକ୍ରେଟିକ ଆକ୍ସନ ତରଫରୁ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ସାମଗ୍ରୀର ଏକ ଷ୍ଟଲ୍ ଖୋଲା ଯାଇଥିଲା । ଏହି କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।