ନବରଙ୍ଗପୁର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୦୨୫ ସୁଦ୍ଧା ଶିଶୁ ଶ୍ରମକ ମୁକ୍ତ ଓଡ଼ିଶା ଗଠନର ସଂକଳ୍ପ ନେଇ ରାଜ୍ୟରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ତରଫରୁ ନବରଙ୍ଗପୁର ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଏହାର ବହୁଳ ପ୍ରସାର ପ୍ରଚାର ପାଇଁ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଉଦଘାଟନ କରାଯାଇଛି । ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ସବୁଜ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି ସଚେତନତା ରଥ ଜିଲ୍ଲାର ୪ଟି ବ୍ଲକ ନବରଙ୍ଗପୁର, ଡାବୁଗାଁ, ତେନ୍ତୁଳିଖୁଣ୍ଟି ଓ ଉମରକୋଟ ବ୍ଲକ ଅଞ୍ଚଳରେ ମାସକ ପର୍ଯ୍ୟନ୍ତ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଶିଶୁଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଉଥିବା ବ୍ୟକ୍ତି ସାବଧାନ ରହିବା ସହିତ ଖିଲାପକାରୀଙ୍କ ବିରୁଦ୍ଧରେ ସରକାରଙ୍କର ରହିଥିବା ଦଣ୍ଡ ବିଧାନ ସମ୍ପର୍କରେ ପ୍ରସାର ପ୍ରଚାର କରିବ । ଏହି ଅବସରରେ ସ୍ଥାନୀୟ ଡିପିଆରସି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ୟାର ସମାଧାନ କିପରି କରାଯାଇପାରିବ ଏବଂ ଜିଲ୍ଲାକୁ ଶିଶୁ ଶ୍ରମ ମୁକ୍ତ ଜିଲ୍ଲା କରିବାରେ ସମସ୍ତେ ସହଯୋଗର ହାତ ବଢ଼ାଇବା ପାଇଁ ଜିଲ୍ଲାପାଳ ଡା. ମିଶ୍ର ପରାମର୍ଶ ଦେଇଥିଲେ । ଜିଲ୍ଲା ଶ୍ରମ ବିଭାଗ ତରଫରୁ ଏଥିରେ ସମ୍ପୃକ୍ତ ବିଭାଗ, ଅନୁଷ୍ଠାନ ଓ ପ୍ରତିଷ୍ଠାନ ସହିତ ଯୋଗାଯୋଗ ରଖି ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଆର. କେ ବେହେରା ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ୧୪ବର୍ଷରୁ କମ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ । ୧୫ ରୁ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦ ସଙ୍କୁଳ କାମରେ(ବୃତ୍ତି ଓ ପ୍ରକ୍ରିୟା) ନିୟୋଜନ ବାରଣ କରାଯାଇଛି । ଏପରି କାମ କରାଉଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ । କେବଳ ଜୋରିମାନା ନୁହେଁ ବରଂ ଶିଶୁକୁ କୌଣସି କାର୍ଯ୍ୟରେ ଓ କିଶୋରଙ୍କୁ (ବୃତ୍ତି ପ୍ରକ୍ରିୟା) ନିୟୋଜନ କରୁଥିଲେ ୨ ବର୍ଷ ଯାଏ କାରାଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି । ଏପରିକି ଉଭୟ ଜେଲଦଣ୍ଡ ଓ ଜୋରିମାନା ହୋଇପାରେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମ ମଣ୍ଡଳ ଆୟୁକ୍ତ କୁବେର ବେହେରା, ଡିଏସପି ବବିତା ତ୍ରିପାଠୀ, ଅଧ୍ୟକ୍ଷ ସିଡବ୍ଲ୍ୟୁସି ଅଜନ୍ତା ଶୁଭଦର୍ଶିନୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିରାମ ହରିଜନ, ଡିସି ଆକ଼୍ସନ ଏଡ୍ ଫକିର ରାଉତ, ସିଡବ୍ଲ୍ୟୁସି ସଭ୍ୟ ରବିନ୍ଦ୍ର ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଅନୁଷ୍ଠାନ ଓ ବାଣିଜ୍ୟ ପ୍ରତିଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।