ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରୁଥିବା କୁସ୍ତିଯୋଦ୍ଧାଙ୍କୁ ସଂଯୁକ୍ତ କିସାନ ମୋର୍ଚ୍ଚାର ସମର୍ଥନ ମିଳିଛି । କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା ପରେ ଜୁନ୍ ୧ରେ ସଂଯୁକ୍ତ କିସାନ ମୋର୍ଚ୍ଚା ସମଗ୍ର ଦେଶରେ ବ୍ରିଜଭୂଷଣ ବିରୋଧରେ ପ୍ରଦର୍ଶନ କରିବ ବୋଲି ବଡ଼ ଘୋଷଣା କରିଛି । ଏହି ସମୟରେ ଜିଲ୍ଲା ଓ ତହସିଲରେ କୁଶ ପୁତ୍ତଳିକା ମଧ୍ୟ ଜଳାଯିବ । କୁସ୍ତିଯୋଦ୍ଧା ନିଜ ମେଡାଲକୁ ଗଙ୍ଗାରେ ଭସାଇବା ନେଇ ଘୋଷଣା କରିବା ପରେ ଏପରି ନ କରିବାକୁ ଭାରତୀୟ କିସାନ ୟୁନିୟନର ପ୍ରବକ୍ତା ରାକେଶ ଟିକେୟତ ଆହ୍ୱାନ ଦେଇଥିଲେ ।
ରାକେଶ ଟିକେୟତ ଟ୍ୱିଟ୍ କରି କହିଛନ୍ତି ଯେ, ଏହି ମେଡାଲ ଆମ ଦେଶ ଓ ତ୍ରିରଙ୍ଗାର ସମ୍ମାନ । ଏପରି ନ କରିବାକୁ ମୁଁ ସମସ୍ତ କୁସ୍ତିଯୋଦ୍ଧାଙ୍କୁ ଅନୁରୋଧ କରୁଛି । ଆପଣମାନେ ନିଜ ଖେଳ ବଳରେ ଦେଶକୁ ଗୌରବାନ୍ୱିତ କରିଛନ୍ତି । ମୁଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି କି ଘଟଣା ସମ୍ବନ୍ଧରେ ଅବଗତ ହୋଇ ଖୁବଶୀଘ୍ର କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରନ୍ତୁ ।