ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ୯ ବର୍ଷ ପୂର୍ବେ ଆଜିର ଦିନରେ ଅର୍ଥାତ୍ ୨୦୧୪ ମେ’ ୨୬ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ୯ ବର୍ଷର ଏହି ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ବିଜେପି ଏକ ମେଗା ପ୍ରଚାରର ଯୋଜନା ପ୍ରସ୍ତୁତ କରିଛି । ଏଥିରେ ବିଜେପିର ବିଭିନ୍ନ କାମ ଓ ୯ ବର୍ଷର ଉପଲବ୍ଧି ସମ୍ବନ୍ଧରେ ଜନତାଙ୍କୁ ଅବଗତ କରାଯିବ । ଏହାର ଶୁଭାରମ୍ଭ ମେ’ ୩୧ରେ ରାଜସ୍ଥାନର ଅଜମେରରେ ହେବାକୁ ଥିବା ରାଲିରୁ କରାଯିବ । ଏହାସହ ‘ସମ୍ପର୍କରୁ ସମର୍ଥନ’ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ ହେବ ।
ମେ’ ୩୦ରୁ ଜୁନ୍ ୩୧ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଅଭିଯାନରେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ମୋଟ ୩୧ଟି ବଡ଼ ଜନସଭା କରିବା ପାଇଁ ପାର୍ଟିିି ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି । ସେଥିରୁ ପାଖାପାଖି ୮ଟି ସଭାକୁ ମୋଦୀ ସମ୍ବୋଧିତ କରିବେ । ମୋଦୀଙ୍କ ବ୍ୟତୀତ ଜେପି ନଡ୍ଡା, ଅମିତ ଶାହ, ଯୋଗୀ ଆଦିତ୍ୟନାଥ ଓ ସ୍ମୃତି ଇରାନୀଙ୍କ ସହ ଅନ୍ୟ ନେତା ମଧ୍ୟ ରାଲିକୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି ।