ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟସ୍ଥ ସିନ୍ଧିପଙ୍ଖାଲ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ସମ୍ପୃକ୍ତ ଅଞ୍ଚଳରେ ଏବେ ପୁଲିସ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି । ମିଳିଥିବା ରିପୋର୍ଟ ମୁତାବକ, ଗୁଇନ୍ଦା ସୂଚନା ଆଧାରରେ ସମ୍ପୃକ୍ତ ଅଞ୍ଚଳରେ ଏସଓଜି ଯବାନମାନେ କୁମ୍ବିଂ ଅପରେସନ୍ ଚଳାଇଥିଲେ । ଆଜି ସକାଳ ପ୍ରାୟ ୫ଟା ୪୦ମିନିଟରେ ସିନ୍ଧିପଙ୍ଖାଲ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଥିବାବେଳେ କିଛି ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ । ତେବେ ଏଯାବତ୍ କାହାର ମୃତାହତ ଖବର ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ କିଛି ଦିନର ନିରବତା ପରେ କନ୍ଧମାଳରେ ଲାଲ ବାହିନୀ ପୁଣିଥରେ ନିଜର ସ୍ଥିତି ଜାହିର କରୁଛି ।