କଂଗ୍ରେସ ନେତାଙ୍କ ମୁଣ୍ଡ ଖରାପ ହୋଇଯାଇଛି : ଶାହ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ବିଶାକ୍ତ ସାପ’ ସହ ତୁଳନା କରିଛନ୍ତି । ଖଡ଼ଗେଙ୍କ ବୟାନକୁ ଗୃହମନ୍ତ୍ରୀ ଅମିତ ଶାହ କଟାକ୍ଷ କରିଛନ୍ତି । ଶାହ କହିଛନ୍ତି ଯେ, କଂଗ୍ରେସ ଓ ତା’ର ନେତାଙ୍କ ମୁଣ୍ଡ ଖରାପ ହୋଇଯାଇଛି । ସମଗ୍ର ବିଶ୍ୱରେ ମୋଦୀଙ୍କୁ ସମ୍ମାନ କରାଯାଇଥାଏ । କିନ୍ତୁ କଂଗ୍ରେସ ଏମିତି ବୟାନ ଦ୍ୱାରା ଲୋକଙ୍କୁ ଉସୁକାଇ ପାରିବନି କାରଣ ପ୍ରଧାନମନ୍ତ୍ରୀଙ୍କୁ ଯେତିକି ଗାଳି ଦିଆଯିବ ଲୋକଙ୍କ ମନରେ ତାଙ୍କ ପାଇଁ ଭଲ ପାଇବା ବଢ଼ିବ । କଂଗ୍ରେସ ପାଖରେ କୌଣସି ପ୍ରସଙ୍ଗ ନାହିଁ । ଗତ ୯ ବର୍ଷରେ ମୋଦୀ ସମଗ୍ର ବିଶ୍ୱରେ ଭାରତର ଗୌରବ ବଢ଼ାଇଛନ୍ତି । ସେ ଭାରତର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସୀମାକୁ ସୁରକ୍ଷିତ ବନାଇଛନ୍ତି ।

ସୂଚନାଯୋଗ୍ୟ, କର୍ଣ୍ଣାଟକର ଏକ ନିର୍ବାଚନୀ ରାଲିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କ ତୁଳନା ବିଶାକ୍ତ ସାପ ସହ କରିଥିଲେ । କିନ୍ତୁ ପରେ ନିଜ ବୟାନ ବଦଳାଇ ଏହା ପ୍ରଧାନମନ୍ତ୍ରୀଙ୍କ ପାଇଁ ନୁହେଁ ବରଂ ବିଜେପି ଲାଗି ଥିଲା ବୋଲି କହିଥିଲେ ।