ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ସିଂଶାଲ ଓ ସିଙ୍ଗୁରି ବାଲିଘାଟରେ କ୍ରାଇମ ବ୍ରାଞ୍ଚ ଏସଟିଏଫ ପକ୍ଷରୁ ବିଳମ୍ବିତ ରାତିରେ ଚଢ଼ଉ ଘଟଣାରେ ବାରକୋଟ ତହସିଲ ୩ଲକ୍ଷ ୨୬ ହଜାର ୬୦୦ ଟଙ୍କା ଜୋରିମାନା ଆଦାୟ କରିଛି । ସିଂଶାଲରୁ ୭ ଓ ସିଙ୍ଗୁରି ବାଲିଘାଟରୁ ୩ ମୋଟ ୧୦ ହାଇୱା ଜବତ କରାଯିବା ସହ ୧୦ ଜଣଙ୍କୁ ଅଟକ ରଖି ଏସଟିଏଫ ତଦନ୍ତ ଜାରି ରଖିଛି । ଅନ୍ୟପଟେ ବାଲି ଟ୍ରକ ଧକ୍କାରେ କ୍ରାଇମ ବ୍ରାଞ୍ଚ ଏସଟିଏଫର ଗାଡ଼ି ଭାଙ୍ଗିଥିବା ଦେଖିବାକୁ ମିଳିଛି । ତେବେ ତହସିଲ କାର୍ଯ୍ୟାଳୟ ନାକ ତଳେ ବେଆଇନ ଭାବେ ସରକାରୀ ରାଜସ୍ୱ ହରିଲୁଟ ହେଉଥିବାବେଳେ ତହସିଲ କର୍ତ୍ତୃପକ୍ଷ ଜାଣି ନ ପାରିବା, ବେଆଇନ ବାଲି ଗଚ୍ଛିତ ଓ ରାଜସ୍ୱ ଲୁଟ ସୂଚନା ପାଇ ଭୁବନେଶ୍ୱରରୁ ଏସଟିଏଫ ଆସି ଚଢ଼ଉ କରିବାକୁ ନେଇ ବାରକୋଟ ତହସିଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।