ସମ୍ବଲପୁରରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ, କାମ କରିବ ବ୍ରଡ ବ୍ୟାଣ୍ଡ

ସମ୍ବଲପୁର,ଏନ୍ଏନ୍ଏସ୍: ଜିଲ୍ଲାରେ ପୁଣି ୪୮ ଘଣ୍ଟା ପାଇଁ ବନ୍ଦ ହେଲା ଇଣ୍ଟରନେଟ ସେବା । ଆସନ୍ତା ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା । କିନ୍ତୁ ପୁରା ଜିଲ୍ଲାରେ ବ୍ରଡ ବ୍ୟାଣ୍ଡ ଓ ଲିଜ ଲାଇନ କାମ କରିବ । ଏହି ଦୁଇ ଦିନ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାମ କରିବ ବ୍ରଡ ବ୍ୟାଣ୍ଡ ଓ ଲିଜ୍‌ ଲାଇନ । ହନୁମାନ ଜୟନ୍ତୀରେ ଗଣ୍ଡଗୋଳ ଘଟଣା ପରେ ଜିଲ୍ଲାରେ କ୍ରମଶଃ ଇଣ୍ଟରନେଟ ସେବା ଉପରେ କଟକଣା ଲାଗି ରହିଛି । ବୁଧବାର ୨୪ ଘଣ୍ଟା ପାଇଁ ଏହି ସେବାକୁ ବନ୍ଦ କରାଯାଇଥିବା ବେଳେ ଆଜି ୧୦ ଟାରେ ଶେଷ ହେବାକୁ ଥିଲା । ତେବେ ଶେଷ ହେବା ପୂର୍ବରୁ ପୁଣି ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି ।

ତେବେ ସମ୍ବଲପୁରରେ ଧିରେ ଧିରେ ସ୍ଥିତିରେ ସୁଧାର ଆସିବା ପରିଲକ୍ଷିତ ହେଉଛି । ତେଣୁ କର୍ଫ୍ୟୁ ସାମାନ୍ୟ କୋହଳ କରାଯାଇଛି । ବୁଧବାର ଜିଲ୍ଲାପ୍ରଶାସନ ପକ୍ଷରୁ ସକାଳ ୭ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲା । ଘର ବାହାରକୁ ଆସି ଆତ୍ୟାବଶ୍ୟକ ସାମଗ୍ରୀ କିଣିଥିଲେ ଲୋକେ । ବୁଧବାର ବିଶ୍ବ ହିନ୍ଦୁ ପରିଷଦ ତରଫରୁ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସହରରେ ୪୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ପ୍ରମୁଖ ଛକ ଓ ଗଳି ଗୁଡିକରେ ପୋଲିସ ହୋଇଥିବା ବେଳେ ରାସ୍ତାରେ ଯାଉଥିବା ବିଭିନ୍ନ ବାଇକ ଓ ଗାଡି ଗୁଡିକର ଯାଞ୍ଚ କରାଯାଉଥିଲା ।

ହନୁମାନ ଜୟନ୍ତୀ ପୂର୍ବରୁ ଗତ ୧୨ ତାରିଖରେ ଧନୁପାଲି ଛକରୁ ଏକ ବାଇକ ଶୋଭାଯାତ୍ରା ହୋଇଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ଘଟଣାକୁ ନେଇ ସମ୍ବଲପୁରରେ ୧୪୪ ଧାରା ଲାଗୁ କରାଯାଇ ଗତ ୧୩ ତାରିଖରେ ଇଣ୍ଟରନେଟ ସେବାକୁ ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା । ପୁଣି ହନୁମାନ ଜୟନ୍ତୀରେ ଗୋଷ୍ଠୀ ସଂଘର୍ଷ ଓ ଅଗ୍ନିକାଣ୍ଡ ଘଟିବାରୁ ପୁଣି ଥରେ ୧୫ ତାରିଖ ଦିନ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିବା । ଏହାପରେ ୧୭, ୧୮ ଓ ୧୯ ତାରିଖରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା । ଧନୁପାଲି ଥାନା, ସମ୍ବଲପୁର ଟାଉନ ଥାନା, କ୍ଷେତରାଜପୁର ଥାନା, ଅଇଁଠା ପାଲି ଓ ସଦର ଥାନା, ବରେଇପାଲି ଅଞ୍ଚଳରେ କର୍ଫ୍ୟୁ ଏବେ ବି ବଳବତ୍ତର ରହିଛି ।