ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ରେଲୱେ ଷ୍ଟେସନରୁ ୨ଶହ ମିଟର ଦୂରରେ ଥିବା ସିଲେଟପଡ଼ା ରେଲୱେ ଷ୍ଟେସନ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଦୀର୍ଘଦିନ ଧରି ଏଲଏନଟି କମ୍ପାନୀ ସଇଁନ୍ତଲା ରେଲୱେ ଷ୍ଟେସନ ନିକଟରେ କାମ କରୁଥିବାରୁ ସଇଁନ୍ତଲା ସିଲେଟପଡ଼ାରେ କେବୁଲ ପାଇପ, ବିଦ୍ୟୁତ୍ ତାର ଓ ଲାଇଟ ଖମ୍ଭା ସହ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ସାମଗ୍ରୀ ରଖାଯାଇଥିଲା । କୌଣସି କାରଣରୁ ଆଜି ସକାଳ ୯ଟାରୁ ୧୧ଟା ମଧ୍ୟରେ ଏଥିରେ ନିଆଁ ଲାଗିବା ଫଳରେ ଅନେକ ସମୟ ଧରି ଅଞ୍ଚଳରେ ଭୟାବହ ପରିସ୍ଥିତି ଦେଖାଦେଇଥିଲା । ଯାମପଦର ଓ ସଇଁନ୍ତଲା ରାସ୍ତାଟି ଯୋଗାଯୋଗ ବିଛିନ୍ନ ହୋଇପଡ଼ିଥିଲା । ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ । ସଇଁନ୍ତଲା ଓ ଦେଓଗାଁ ଅଗ୍ନିଶମ ବିଭାଗ ପହଞ୍ଚି ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ । ଅନ୍ୟପଟେ ନିଆଁ କିଏ ଲଗାଇଲା ଓ କେଉଁ କାରଣରୁ ଏଭଳି ଭାବେ ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ ।