ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରରେ ଭୟଙ୍କର ଦୁର୍ଘଟଣା । ଭାରସାମ୍ୟ ହରାଇ ଖାଇକୁ ଖସିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବସ୍ରେ ପାଖାପାଖି ୪୦ ଜଣ ଯାତ୍ରୀ ଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆଜି(ଶନିବାର) ସକାଳେ ମହାରାଷ୍ଟ୍ର ରାଇଗଡ ଅନ୍ତର୍ଗତ ଖୋପୋଲି ଅଞ୍ଚଳରେ ଏହି ବଡ ଅଘଟଣ ଘଟିଯାଇଛି । ଏନେଇ ରାଇଗଡ ଏସପି ସୂଚନା ଦେଇଛନ୍ତି ।
ପୁଲିସର ସୂଚନା ମୁତାବକ, ଏହି ବସ୍ ପୁଣେରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିଲା । ହେଲେ ରାଇଗଡ ଖୋପୋଲିରେ ଥିବା ଶିଙ୍ଗରୋବ ମନ୍ଦିର ନିକଟରେ ବସ୍ଟି ଭାରସାମ୍ୟ ହରାଇ ଏକ ଖାଇ ମଧ୍ୟକୁ ଖସି ପଡିଥିଲା । ବସ୍ରେ ପ୍ରାୟ ୪୦ ଯାତ୍ରୀ ଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ଟି ଭାଙ୍ଗି ଚୁରମାର ହୋଇଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଏଥିରେ ସ୍ଥାନୀୟ ଲୋକେ ମଧ୍ୟ ସହାୟତା କରୁଛନ୍ତି । ତେବେ ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିବାବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ନିଆଯାଉଛି ।
ବସ୍ରେ ଥିବା ସମସ୍ତ ଯାତ୍ରୀ ଏକ ସଂସ୍ଥା ସହ ଜଡିତ । ସେମାନେ ପୁଣେରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁମ୍ବାଇ ଫେରୁଥିଲେ । ହେଲେ ଫେରିବା ବାଟରେ ବସ୍ଟି ଭାରସାମ୍ୟ ହରାଇ ୨୦୦ ଫୁଟ ଗଭୀର ଖାଇକୁ ଖସି ପଡିଛି । ଆଜି ବଡି ଭୋର୍ ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କ୍ରେନ ସାହାଯ୍ୟରେ ଖାଇରୁ ବସ୍କୁ ବାହାର କରିବାକୁ ଚେଷ୍ଟା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।