ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ବିଜେପି ସଭାପତି ମୀନକେତନ ପ୍ରଧାନ ଆଜି ବିଜେପି ଛାଡ଼ି ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଭୁବନେଶ୍ୱରରେ ବିଜେଡିର ଯୁବ ଜନତା ଦଳ କାର୍ଯ୍ୟାଳୟରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମୀନକେତନ ଦଳରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଅମରେଶ ଜେନା ଓ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଉପସ୍ଥିତ ଥିଲେ ।
ବିଜେଡିରେ ସାମିଲ ହେବା ପରେ ମୀନକେତନ ପ୍ରଧାନ କହିଛନ୍ତି ଯେ, ଓଡ଼ିଶାବାସୀ ଓ ଦେବଗଡ଼ ଜନସାଧାରଣଙ୍କ ସେବା କରିବା ପାଇଁ ମୁଁ ବିଜେଡିରେ ସାମିଲ ହେଲି । ମୁଁ କୌଣସି ଆଶା ନେଇ ବିଜେଡିକୁ ଆସିନାହିଁ । ଦେବଗଡ଼ ବିଜେପିରେ କର୍ମୀ ଓ ନେତାଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହିଛି । ସେହିପରି ଦୀର୍ଘ ୩୨ ବର୍ଷ ବିଜେପିରେ ରହିବା ପରେ ସମ୍ମାନ ବଦଳରେ ଦଳୀୟ ନେତୃବୃନ୍ଦଙ୍କଠାରୁ ଅସମ୍ମାନ ଓ ପ୍ରତାରଣା ମିଳିବାରୁ ଦଳ ଛାଡ଼ିଛି ।