ଶ୍ରୀମନ୍ଦିରର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଭାବେ ଜାଗା ଦେଇଥିବା ପରିବାରକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଓଡିଶାବାସୀ ଆପଣଙ୍କ ନିକଟରେ ଋଣୀ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀମନ୍ଦିରର ସୁରକ୍ଷା ଓ ଶ୍ରୀକ୍ଷେତ୍ରର ଐତିହ୍ୟ ଜୋନ୍‌ର ବିକାଶ ପାଇଁ ସ୍ୱେଚ୍ଛାକୃତ ଭାବେ ଜାଗା ଦେଇଥିବା ୧୧ଟି ପରିବାରର ସଦସ୍ୟମାନଙ୍କୁ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉପହାର ଆକାରରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରୂପା ତାରକସୀର ପ୍ରତିମୂର୍ତ୍ତୀ ପ୍ରଦାନ କରିବା ସହିତ ଉତ୍ତରୀୟ ମଧ୍ୟ ଦେଇଥଲେ।

ଏହି ଅବସରରେ ସେମାନଙ୍କ ତ୍ୟାଗ ଓ ଅବଦାନର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ପରିବାରମାନଙ୍କ ଅବଦାନ ପାଇଁ ଓଡିଶାବାସୀ ସେମାନଙ୍କ ନିକଟରେ ଚିର ଋଣୀ ରହିବେ। ଶ୍ରୀମନ୍ଦିରର ସୁରକ୍ଷା ଶ୍ରୀକ୍ଷେତ୍ରର ବିକାଶ ପାଇଁ ସେମାନଙ୍କ ତ୍ୟାଗକୁ ଆମର ଭବିଷ୍ୟତ ପୀଢି ସବୁଦିନ ପାଇଁ ମନେ ରଖିବ ବୋଲି ସେ କହିଥିଲେ। ଅନ୍ୟମାନେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ୟାକେଜକୁ ଗ୍ରହଣ କରି ଶ୍ରୀଜଗନ୍ନାଥଙ୍କ ସେବା ପାଇଁ ସ୍ବେଚ୍ଛାରେ ଜାଗା ଦେବାପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।

ମୁଁ ବହୁତ ଖୁସି ଯେ ଆପଣମାନେ ମୋର ଅନୁରୋଧ ରକ୍ଷା କରିଛନ୍ତି। ଶ୍ରୀମନ୍ଦିରର ସୁରକ୍ଷା ପାଇଁ ନିଜ ଜାଗା ଦେଇଛନ୍ତି । ଆପଣମାନଙ୍କର ଏ ଅବଦାନ ପାଇଁ ଓଡିଶାବାସୀ ଆପଣମାନଙ୍କ ନିକଟରେ ଋଣୀ । ଶ୍ରୀମନ୍ଦିର ଓଡିଆ ଜାତିର ଅମୂଲ୍ୟ ସମ୍ପତ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ଜାତିର ବଡ ପରିଚୟ । ମହାପ୍ରଭୁଙ୍କ ପାଇଁ, ତାଙ୍କ ମନ୍ଦିରର ସୁରକ୍ଷା ପାଇଁ ଆମେ କିଛି କରିପାରିଲେ ଆମ ଜୀବନ ଧନ୍ୟ ହେବ । ଯେଉଁମାନେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଜମି ଦେଉଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାର ବହୁତ ଭଲ ପ୍ୟାକେଜ କରିଛନ୍ତି । ଖୁସିର କଥା, ୧୧ ଜଣ ବନ୍ଧୁ ଆଜି ଏହି ପ୍ୟାକେଜର ସୁଯୋଗ ନେଇଛନ୍ତି। ଅନ୍ୟମାନେ ମଧ୍ୟ ଏହାକୁ ମହାପ୍ରଭୁଙ୍କ ସେବା ଭାବି ଏହାର ସୁଯୋଗ ନିଅନ୍ତୁ ଓ ଶ୍ରୀମନ୍ଦିର ସୁରକ୍ଷା ପରି ମହାନ କାର୍ୟ୍ୟରେ ସହଯୋଗ କରନ୍ତୁ । ଆପଣମାନଙ୍କ ଏହି ମହାନ ତ୍ୟାଗ ମହାପ୍ରଭୁଙ୍କ ସେବାରେ ନୂଆ ଇତିହାସ ସୃଷ୍ଟି କରିବ । ଓଡିଆ ଜାତିର ଭବିଷ୍ୟତ ପୀଢି ଆପଣମାନଙ୍କ ତ୍ୟାଗକୁ ସବୁଦିନ ପାଇଁ ମନେ ରଖିବ

-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 

ସମ୍ବର୍ଦ୍ଧିତ ହୋଇଥିବା ବ୍ୟକ୍ତି ମାନେ ହେଲେ ଶ୍ରୀମତୀ ସଂଯୁକ୍ତା ସାମଲ, ଶ୍ରୀମତୀ ଚନ୍ଦ୍ରକାନ୍ତି ଦାସ, ଶ୍ରୀମତୀ କୁମୁଦିନୀ ଗୁରୁ, ଶ୍ରୀମତୀ ରମାଦେବୀ ଶର୍ମା, ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଶ୍ରୀ ବ୍ରଜକିଶୋର ପଣ୍ଡା, ଶ୍ରୀ ଗଦାଧର ପାଢୀ, ଶ୍ରୀ କଳୀଯୁଗ ଗୋପାଳଚନ୍ଦ୍ର ପ୍ରତିହାରୀ, ଶ୍ରୀ ରାଜକିଶୋର ସାହୁ, ଶ୍ରୀ ଶଶିଭୂଷଣ ଦାସ ଏବଂ ସେମାନାଙ୍କ ପରିବାରବୃନ୍ଦ । ଏହି କାର୍ୟ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।