ନାସାକୁ ମନୋନୀତ ଅନାଥାଶ୍ରମର ୨ ଅନ୍ତେବାସୀ

ଖୋର୍ଦ୍ଧା,ଏନ୍‌ଏନ୍‌ଏସ୍‌: ଦିନେ ପରିବାର,ବାପାମାଆ ଓ ଜନ୍ମମାଟି ଠାରୁ ଦୂରେଇ ଯାଇଥିଲେ ସତ ଆଜି ନିଜ ଭାଗ୍ୟ ନିଜେ ଗଢିଛନ୍ତି । ଅନାଥାଶ୍ରମରୁ ଅନ୍ତରୀକ୍ଷ ଯାତ୍ରା କରିବାକୁ ଯାଉଛନ୍ତି ଅନ୍ତେବାସୀ । ଏବେ ଆମେରିକାରେ କମାଲ କରିବେ ଓଡିଆ ଛାତ୍ରଛାତ୍ରୀ । ଓଡିଶା ମାଟିର ଦକ୍ଷତା ଦେଖିବ ଆମେରିକା । ନାସାକୁ ମନୋନୀତ ହୋଇ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା କଣ୍ଟାବାଡସ୍ଥିତ ଆଦୃତା ଶିଶୁ ଯତ୍ନ ଅନୁଷ୍ଠାନ (ଅନାଥାଶ୍ରମ)ର ଦୁଇ ଅନ୍ତେବାସୀ ଆଂକାକ୍ଷା ଏବଂ ଓମ । ଏମାନଙ୍କ ସହିତ ଅନ୍ୟ ଜଣେ ମଧ୍ୟ ମନୋନୀତ ହୋଇଛନ୍ତି । ମୋଟ ୩ ଜଣ ଛାତ୍ରଛାତ୍ରୀ ନାସା ହୁମ୍ୟାନ ଏକ୍ସପ୍ଲୋରେସନ ରୋଭ ଚ୍ୟାଲେଞ୍ଜରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି ।

ଆସନ୍ତା ୧୪ ତାରିଖରେ ଆମେରିକାରେ ବିଶ୍ବସ୍ତରୀୟ ରୋଭର ଏକ୍ସପ୍ଲୋରେସନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ନିଜେ ପ୍ରସ୍ତୁତ କରିଥିବା ରୋଭର ପ୍ରଦର୍ଶନ କରିବେ ୩ ଛାତ୍ରଛାତ୍ରୀ । ଏମାନଙ୍କ ଦ୍ବାରା ପ୍ରସ୍ତୁତ ରୋଭର ଚନ୍ଦ୍ରରେ ଲ୍ୟାଣ୍ଡ କରିବ । ଏଥିପାଇଁ ନାସା ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନାସାର ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ୩୦ଟି ଦେଶର ୬ଟି ଦଳ ଭାଗ ନେବେ । ୟଙ୍ଗଥିଙ୍କର ଫାଉଣ୍ଡେସନ ନାମକ ସ୍ବଚ୍ଛାସେବୀ ଅନୁଷ୍ଠାନ ଦେଶର ପ୍ରତିଭାଶାଳୀ କିଶୋର କିଶୋରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ନାସାର ଏକ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରୁଛି । ଏହି ପ୍ରକ୍ରିୟାରେ ଭାରତର ୫ ହଜାର କିଶୋର କିଶୋରୀ ଅଂଶ ଗ୍ରହଣ କରିଥିଲେ । ସେ ମଧ୍ୟରୁ ୬ଜଣ ମନୋନୀତ ହୋଇଥିବା ବେଳେ ଓଡ଼ିଶାରୁ ୩ ଜଣଙ୍କୁ ଚୟନ କରାଯାଇଛି । ଚୟନ ହୋଇଥିବା ୩ ଜଣଙ୍କ ମଧ୍ୟରେ ଖୋର୍ଦ୍ଧା କଣ୍ଟାବାଡ ସ୍ଥିତ ଆଦୃତା ଶିଶୁ ଯତ୍ନ ଅନୁଷ୍ଠାନର ଆଂକାକ୍ଷା ଓ ଓମ ପାଢୀ ସ୍ଥାନ ପାଇଛନ୍ତି ।