ନବରଙ୍ଗପୁର ଓକିଲ ସଂଘ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ ଉତ୍ସବ ଜିଲ୍ଲା ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ସି ଏଚ୍ ବାବା ଯୁଗନ୍ଦର୍ ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ । ନୂତନ କର୍ମକର୍ତ୍ତାଙ୍କ ମଧ୍ୟରେ ସଭାପତି ରୂପେ ଆଇନଜୀବୀ ନରସିଂହ ତ୍ରିପାଠୀ, ଉପସଭାପତି ହରି ନାରାୟଣ ବେହେରା, ସମ୍ପାଦକ ତପନ ସିଂ, ଯୁଗ୍ମସମ୍ପାଦକ ସନ୍ଦୀପ ମିଶ୍ର, କୋଷାଧ୍ୟକ୍ଷ ଅନୀଲ ଦୀନବନ୍ଧୁ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ପଟ୍ଟନାୟକ, ସତୀଶ ନାୟକ, ତପନ ପାଣିଗ୍ରାହୀ ଓ ରାଜ କର୍କରା ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ ସଂଘର ଅନେକ କାମ କରିବାର ବାକି ରହିଛି ସେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ କରାଯିବ । ଏହାସହ ବହୁ ଦିନରୁ ଅଟକି ରହିଥିବା ବାର ରୁମର ନିର୍ମାଣ ସମ୍ପୂର୍ଣ ହେବ ବୋଲି ସଦସ୍ୟଙ୍କୁ ସଭାପତି ନରସିଂହ ତ୍ରିପାଠୀ ପ୍ରତିଶ୍ରୁତି ଦେଇଥିଲେ । ଉପସଭାପତି ହରି ନାରାୟଣ ବେହେରା ତାଙ୍କ ବକ୍ତବ୍ୟରେ ସଂଘର ଆବଶ୍ୟକୀୟ ସମସ୍ତ କାର୍ଯ୍ୟ ତୁଲାଇବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ସଂଘର ଏହି ପାଳି ନିଆରା ହେବ । ଭିନ୍ନ ଢଙ୍ଗରେ ସଂଘର ସମସ୍ତ ଉନ୍ନତିମୂଳକ କାର୍ଯ୍ୟ କରାଯିବ ବୋଲି ସମ୍ପାଦକ ତପନ ସିଂ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଆଇନଜୀବୀ ସୁବୋଧ ବେନିଆ, ମିନାକ୍ଷୀ ପାଢ଼ୀ, ସନ୍ତୋଷ ମିଶ୍ର ଓ କୁଞ୍ଜ ଦାଶ ନୂତନ କମିଟିକୁ ଶୁଭେଛା ଜଣାଇବା ସହ ଆଗମୀ ଦିନରେ ସଂଘ କିଭଳି କାର୍ଯ୍ୟ କରିବା ଉଚିତ ସେସମ୍ପର୍କରେ ମତ ରଖିଥିଲେ । ଶେଷରେ ସଂଘର ପୂର୍ବତନ କର୍ମକର୍ତ୍ତାମାନେ ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହି ଶପଥ ପାଠ ଉତ୍ସବ କାର୍ଯ୍ୟକ୍ରମ ପରିଚାଳନାରେ ସହ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର ପଟ୍ଟନାୟକ ଓ ତାଜ୍ ଇମ୍ରାନ ସରିଫ ସହଯୋଗ କରିଥିଲେ । ଏଥିରେ ବହୁ ସଂଖ୍ୟକ ବାର୍ ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ ।