ବାଲିଗୁଡ଼ା,ଏନ୍ଏନ୍ଏସ୍: ନିର୍ମାଣ କାମ କରୁଥିବାବେଳେ ବଡ଼ ଧରଣର ଅଘଟଣ ଘଟିଛି । ଛାତରୁ ଖସି ପଡ଼ିବା ସମୟରେ ନାବାଳକର ମଳ ଦ୍ୱାରରେ ଶାବଳ ପଶି ଯାଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ତଳ ସୁବର୍ଣ୍ଣଗିରି ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ତଳ ସୁବର୍ଣ୍ଣଗିରି ଅଞ୍ଚଳର ସନାତନ ପାଟଗୁରୁଙ୍କ ୧୬ ବର୍ଷର ପୁଅ ଶକ୍ତି ପାଟଗୁରୁ ନିକଟସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନିର୍ମାଣ କାମ କରିବା ପାଇଁ ଯାଇଥିଲା । ଶକ୍ତି ଭାଙ୍ଗି ଯାଇଥିବା ଆଜବେଷ୍ଟସ ବାହାର କରିବା ପାଇଁ ଆଜବେଷ୍ଟସ ଉପରକୁ ଚଢ଼ିଥିଲା । ସେହି ସମୟରେ ଘର ଭିତରେ ଅନ୍ୟଜଣେ ଶ୍ରମିକ ଏକ ଶାବଳ ଧରି ଠିଆ ହୋଇଥିଲେ । ଅସାବଧାନତା ଯୋଗୁ ଶକ୍ତି ଭଙ୍ଗା ଆଜବେଷ୍ଟସରୁ ଖସି ଘର ଭିତରେ ଶାବଳ ଉପରେ ପଡ଼ିବାରୁ ଶାବଳଟି ଶକ୍ତିର ମଳ ଦ୍ୱାରରେ ପଶିଯାଇଥିଲା । ଖବର ପାଇ ପରିବାର ଲୋକେ ଶକ୍ତିକୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଶକ୍ତିକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି ।