ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ଟାଉନ ହଲରେ ଆଜି ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ଓ ରାଣୀ ଡମ୍ବରୁପ୍ରିୟାଙ୍କ ପ୍ରତିମୂର୍ତ୍ତି ସମେତ ରାଜବାଟି ପରିସରରେ ଥିବା ରାଜା ବାସୁଦେବ ସୁଢ଼ଳ ଦେବ, ଗୋପବନ୍ଧୁ ଛକରେ ଥିବା ଉତ୍କଳମଣି ଗୋପବନ୍ଧୁ ଓ ପ୍ରଧାନପାଟ ଶିଶୁ ଉଦ୍ୟାନରେ ଥିବା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଓଡ଼ିଶା ଦିବସ ପାଳନର କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ପୂର୍ବାହ୍ନରେ ଟାଉନ ହଲରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗ ଓ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ପ୍ରମୁଖ ମଞ୍ଚାସିନ ରହି ଉତ୍କଳ ପ୍ରଦେଶ ଗଠନରେ ନିଜକୁ ଉତ୍ସର୍ଗ କରିଥିବା ମହାପୁରୁଷଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ନୂତନ ଓଡ଼ିଶା ଗଠନରେ ପୂର୍ବ ବାମଣ୍ଡା ତଥା ବର୍ତ୍ତମାନର ଦେବଗଡ଼ ଜିଲ୍ଲାର ତତ୍କାଳୀନ ରାଜା ସାର ବାସୁଦେବ ସୁଢ଼ଳ ଦେବଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଓଡ଼ିଆ ଭାଷା ଓ ସାହିତ୍ୟକୁ ନେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶଙ୍ଖ ଧ୍ୱନି ବାମଣ୍ଡା ମାଟିରୁ ଆରମ୍ଭ ହେବାସହ ରାଜା ସାର ବାସୁଦେବଙ୍କ ଭୂମିକା ସମ୍ପର୍କରେ ମଞ୍ଚାସିନ ଅତିଥିମାନେ ଆଲୋଚନା କରିଥିଲେ । ସେହିପରି ଓଡ଼ିଶା ଦିବସ ପାଳନ ଅବସରରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆରମ୍ଭ କରିଥିବା କୁକୁଡ଼ା ଚାଷୀ ଶୋଭେନ ସାମଲ, ମତ୍ସ୍ୟ ବିଭାଗ ପକ୍ଷରୁ ରିଆମାଳ ବ୍ଲକ ନାଉଲିପଡ଼ା ପଞ୍ଚାୟତର ନବଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀ, ଜୀବିକା ମିଶନ ପକ୍ଷରୁ ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ମା’ ମହାମାୟୀ ଏସଏଚଜି, ବିଶ୍ୱ ବିଭବ ଲକ୍ଷ୍ମୀ ଏସଏଚଜି ଓ ମା’ ଗଜଲକ୍ଷ୍ମୀ ଏସଏଚଜି, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ବାରକୋଟ ବ୍ଲକ ରାମ୍ଭେଇ ପଞ୍ଚାୟତକୁ ଶିଶୁ ମିତ୍ର ପଞ୍ଚାୟତ, କାଳିଆପାଳ ଓ ରିଆମାଳ ବ୍ଲକ ଉତୁଣିଆ ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଭାବେ ପୁରସ୍କୃତ କରାଯାଇଥିଲା । ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱେଛାସେବୀ ଅନୁଷ୍ଠାନ ‘ହ୍ୟାପି ଟୁ ହେଲ୍ପ’ ଫାଉଣ୍ଡେସନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ବାରକୋଟ ବ୍ଲକ କେଲଡ଼ା ଗ୍ରାମର ସନାତନ ପ୍ରଧାନଙ୍କୁ ଜିଲ୍ଲାରେ ପିଜୁଳି ଚାଷ, ସମନ୍ୱିତ କୃଷି କ୍ଷେତ୍ରରେ ରିଆମାଳ ବ୍ଲକ ତୁଙ୍ଗାମାଲ ଗ୍ରାମର କାଳିଆ ସେଠୀ ଓ ଆଧୁନିକ ପ୍ରଣାଳୀରେ କୃଷି କାର୍ଯ୍ୟ କରି ଅନ୍ୟ ପାଇଁ ପ୍ରେରଣା ସାଜିଥିବା ତିଳେଇବଣି ବ୍ଲକ କଲଣ୍ଡା ଗ୍ରାମର ଯଯାତି ବିଶ୍ୱାଳଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।