ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଇନପୁର ଗ୍ରାମରେ ଏକ ଯୌତୁକ ଜନିତ ବୋଧୂ ହତ୍ୟା ଅଭିଯୋଗ ଆସିଛିି । ମିଳିଥିବା ରିପୋର୍ଟ ମୁତାବକ, ଖପ୍ରାଖୋଲ ଥାନା ଅନ୍ତର୍ଗତ କଟାପାଲି ଗ୍ରାମର ସୁବଲ କଠାର ତାଙ୍କ ଝିଅ ସଙ୍ଗୀତାକୁ ଲରମ୍ଭା ଥାନା ଅନ୍ତର୍ଗତ ଇନପୁର ଗ୍ରାମର ଗୋକୁଳ ଛତରଙ୍କ ପୁଅ ସାଧୁ ଚରଣ ଛତରଙ୍କୁ ୨୦୧୮ ମହିସହାରେ ବାହା ଦେଇଥିଲେ । ବିବାହକୁ ୫ ବର୍ଷ ହୋଇଥିଲେ ମଧ୍ୟ ମଝିରେ ମଝିରେ ଶାଶୁଘର ଲୋକ ସଙ୍ଗୀତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ଏସମ୍ପର୍କରେ ଖବର ପାଇ ସଙ୍ଗୀତାର ପରିବାର ଲୋକ ଆସି ବୁଝାସୁଝା କରି ଫେରି ଯାଇଥିଲେ । ସଙ୍ଗୀତାଙ୍କୁ ଏକ ମୋଟର ସାଇକେଲ ପାଇଁ ବାରମ୍ବାର ସ୍ୱାମୀ ଓ ଶାଶୁ ମାଡ଼ ମାରିଥିଲେ । ଗତକାଲି ମଧ୍ୟାହ୍ନ ୧୨ଟାରେ ସଙ୍ଗୀତାଙ୍କୁ ଶାଶୂଘର ଲୋକେ ତଣ୍ଟି ଚିପି ବେକରେ ଦଉଡ଼ି ଦେଇ ହତ୍ୟା କରିଥିବା ଝିଅର ବାପା ଲରମ୍ଭା ଥାନାରେ ଏତଲା ଦେଇଛନ୍ତି । ଏତଲା ଅନୁଯାୟୀ ଲରମ୍ଭା ପୁଲିସ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ସଙ୍ଗୀତାର ସ୍ୱାମୀ ସାଧୁ ଚରଣକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି । ଘଟଣାସ୍ଥଳକୁ ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ମୃତ ଶବଟିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି ।