୮୮ତମ ପୁଲିସ ପ୍ରତିଷ୍ଠା ଦିବସ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ପୁଲିସ ରିଜର୍ଭ ପଡ଼ିଆରେ ୮୮ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରମୋଦ କୁମାର ରଥ ଧ୍ୱଜାରୋହଣ କରିବା ସହ ସମ୍ମିଳିତ ପୁଲିସ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ସରଜେଣ୍ଟ ଗୋବିନ୍ଦ ଚନ୍ଦ୍ର ମାରାଣ୍ଡିଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ୟାରେଡରେ ପୁଲିସ ବ୍ୟାଣ୍ଡ ସହ ୪ ପ୍ଲାଟୁନ ପୁଲିସ ଫୋର୍ସ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ମହଲରୁ ଆସିଥିବା ବାର୍ତ୍ତାକୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ରଥ ପାଠ କରିବା ସହ ଓଡ଼ିଶା ପୁଲିସର ଗୌରବମୟ ଇତିହାସକୁ ମନେ ପକାଇ ଏହାକୁ ବଳବତ୍ତର ରଖିବା ପାଇଁ ଉପସ୍ଥିତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆହ୍ୱାନ ଦେଇଥିଲେ । ସେହିପରି ଜିଲ୍ଲା ପୁଲିସରେ କାର୍ଯ୍ୟରତ ବହୁ ଅଧିକାରୀ ଓ କର୍ମଚାରୀଙ୍କୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ରଥ କାର୍ଯ୍ୟ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ ନିମନ୍ତେ ପୁରସ୍କୃତ କରିଥିଲେ ।