ଭୋପାଲ,ଏଜେନ୍ସି: ରାମ ନବମୀରେ ଇନ୍ଦୋରର ବେଲେଶ୍ବର ମନ୍ଦିରରେ ବଡ ଅଘଟଣ ଘଟିଛି । ମନ୍ଦିରର ଛାତ ଭୁଶୁଡ଼ି ପଡିବା କାରଣରୁ ୩୫ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଆହତ ଅବସ୍ଥାରେ ପ୍ରାୟ ୧୮ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଜଣେ ଶ୍ରଦ୍ଧାଳୁ ନିଖୋଜ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡିଆରଏଫ ଓ ଏସଡିଆରଏଫ ଟିମ ଉଦ୍ଧାର ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।
ଗତକାଲି(ଗୁରୁବାର) ମନ୍ଦିରକୁ ରାମ ନବମୀ ପୂଜାର୍ଚ୍ଚନା ପାଇଁ ଅପେକ୍ଷାକୃତ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହି ସମୟରେ ମନ୍ଦିରରେ ଥିବା ଏକ କୂଅର ଛାତ ଭୁଶୁଡି ପଡିବା କାରଣରୁ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ମନ୍ଦିରରେ ପ୍ରାଙ୍ଗଣରେ ଥିବା ଜଳକୂପ ମଧ୍ୟକୁ ଖସି ପଡିଥିଲେ । ସ୍ଥାନୀୟ ପ୍ରଶାସନ ସହଯୋଗରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପରି ଅଘଟଣ ପରେ ମନ୍ଦିରରେ ଦର୍ଶନ ବନ୍ଦ ରହିଛି ।