ପାଟଣାଗଡ଼,ଏନ୍ଏନ୍ଏସ୍: ଗତକାଲି ସଂଧ୍ୟା ପ୍ରାୟ ୮ଟାରେ ସହରଠାରୁ ୨କିମି ଦୂର ପାଟଣାଗଡ଼-ଧୁମାଭଟା ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଶୋଚନୀୟ ଭାବେ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସ୍ଥାନୀୟ ମେହେରପଡ଼ା ନିବାସୀ ଚୂଡ଼ାମଣି ମେହେର(୬୦) । ମିଳିଥିବା ରିପୋର୍ଟ ମୁତାବକ, ଚୂଡ଼ାମଣି ମୁଖ୍ୟ ରାସ୍ତା ଉପରେ ଫୁଲ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ । ଆଜି ନିଜ ଦୋକାନ ଲାଗି ଫୁଲ ସଂଗ୍ରହ କରିବା ପାଇଁ ସେ ନିକଟସ୍ଥ ବଗଲାବନ୍ଧ ଗ୍ରାମକୁ ଯାଇ ଫେରୁଥିଲେ । ତେବେ ଧୁମାଭଟା ରାସ୍ତାର କଲେଜ ଛକରୁ ମାତ୍ର କିଛି ମିଟର ଦୂରରେ ସାମ୍ନାପଟୁ ଯାଉଥିବା ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଚୂଡ଼ାମଣିଙ୍କୁ ତତକ୍ଷଣାତ୍ ପାଟଣାଗଡ଼ ଡାକ୍ତରଖାନକୁ ଅଣାଯାଇଥିଲେ ମଧ୍ୟ ସେଠାରେ ତାଙ୍କ ମୃତ୍ୟୁ ଘଟିଛି । ପୁଲିସ ପହଞ୍ଚି ଶବକୁ ଜବତ କରିଥିବାବେଳେ ଆସନ୍ତାକାଲି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି ଜଣାପଡ଼ିଛି ।