୧୩ ଦଣ୍ଡ ମିଳନ ସମାରୋହ ପାଇଁ ୧୫ ଦିନ ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ ନିଷ୍ପତ୍ତି

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମାର୍ଚ୍ଚ ୩୧ ତାରିଖରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ମା’ କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପୂର୍ବାପେକ୍ଷା ଚଳିତ ବର୍ଷ ମଧ୍ୟ ବାଲିଗୁଡ଼ା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ବର୍ଷ ପୂର୍ତ୍ତି ଅବସରରେ ୩୪ତମ ବାର୍ଷିକ ୧୩ ଦଣ୍ଡ ମିଳନ ସମାରୋହ ଏପ୍ରିଲ ୯ ତାରିଖରେ ଅନୁଷ୍ଠିତ ହେବ । ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଯାଇଛି । ମାର୍ଚ୍ଚ ୩୧ରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସମଗ୍ର ସହରରେ ଅଣ୍ଡା, ମାଛ, ମାଂସ, ଶୁଖୁଆ ପ୍ରଭୃତି ଆମିଷ ଦ୍ରବ୍ୟ ଅନୁଷ୍ଠାନରେ ବିକ୍ରି ଓ ସେବନ ବନ୍ଦ କରି ସହଯୋଗ କରିବା ସହିତ ମା’ କାଳୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ସମିତି ତରଫରୁ ସମଗ୍ର ବାଲିଗୁଡ଼ା ଅଞ୍ଚଳବାସୀଙ୍କୁ ଅନୁରୋଧ କରାଯାଇଛି । ୧୩ ଦଣ୍ଡ ମିଳନର କାର୍ଯ୍ୟସୂଚୀ ପ୍ରକାରେ ୯ ତାରିଖ ୮ ଘଣ୍ଟା ସମୟରେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ୧୩ ଦଣ୍ଡଥଳଙ୍କୁ ବରଣ କରାଯିବ । ଦିବା ୧୧ଟା ୩୦ ସମୟରେ ଟାଉନର ମୁଖ୍ୟରାସ୍ତାରେ ଧୂଳିଦଣ୍ଡ, ଅପରାହ୍ନ ୪ଟା ୩୦ରେ ବନ୍ଧପାଖରେ ପାଣିଦଣ୍ଡ ଓ ସନ୍ଧ୍ୟା ୫ରେ ସବୁଠୁ ବିଶେଷ ଆକର୍ଷଣ ବଜାର ଛକରେ ୧୩ ଦଣ୍ଡର ଏକ ମହାମିଳନ ଆୟୋଜନ କରାଯିବ । ରାତ୍ର ୧୧ଟାରେ ଝୁଣା ଦଣ୍ଡ ପଟୁଆର ସହ ୧୦ ତାରିଖ ୮ଟାରେ ଯାତ୍ରା ସମାପନ ହେବ । ତେଣୁ ସମସ୍ତ ଅଞ୍ଚଳବାସୀ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି ।