ଗୁମାଗଡ଼,ଏନ୍ଏନ୍ଏସ୍: ପଶ୍ଚିମବଙ୍ଗର ସ୍ୱମେନ ଜେନା ନାମକ ଜଣେ ବ୍ୟକ୍ତି ଫୁଲବାଣୀ ମାଷ୍ଟରପଡ଼ା ସାହିରେ ଦୀର୍ଘ ୫ ବର୍ଷ ଧରି ରହି ଆସୁଥିଲେ । ଏଠାରେ ଷ୍ଟିଲ ୱେଲଡିଙ୍ଗ କାମ କରୁଥିବା ସ୍ୱମେନ ଅଚାନକ କୌଣସି କାରଣରୁ ଆତ୍ମହତ୍ୟା କରିଥିଲେ । ଏନେଇ ଖବର ପାଇ ଆଦର୍ଶ ଟାଉନ ଥାନାଧିକାରୀ ସେଠାରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ପରେ ଶବ ସତ୍କାର ପାଇଁ ପରିବାରବର୍ଗଙ୍କୁ ଖୋଜିଥିଲେ । କିନ୍ତୁ ସେ ବ୍ୟକ୍ତି ଜଣକ ଏଠାରେ ଏକା ରହି କାମ କରୁଥିଲେ ଏବଂ ପରିବାର ସଦସ୍ୟ ସଦସ୍ୟାଙ୍କ ଅନୁପସ୍ଥିତିକୁ ଦୃଷ୍ଟିରେ ରଖି ଟାଉନ ଥାନା ଏଏସଆଇ ସରୋଜ କୁମାର ସାହୁ ଟିମ୍ ହ୍ୟୁମାନିଟି କନ୍ଧମାଳକୁ ସହଯୋଗ ପାଇଁ ଯୋଗାଯୋଗ କରିଥିଲେ । ଖବର ପାଇ ଟିମ୍ ହ୍ୟୁମାନିଟି କନ୍ଧମାଳ ସଦସ୍ୟ ଭି ଜଗନ୍ନାଥ ରାଜୁ, ସାଇରମ ପାତ୍ର, ସନ୍ତୋଷ ବାରିକ ଓ ରବୀନ୍ଦ୍ର ମହାରଣା ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ପରେ ଶ୍ମଶାନରେ ମୃତକଙ୍କ ସ୍ଥାନୀୟ ବନ୍ଧୁ ସଂଜୀବ ଦ୍ୱାରି, ବିକାଶ ଦିଗାଲ,ଏମ ଡି ସଲମନ, ବୁବାଇ ବେରା ଓ ଧର୍ମପଦ ସାହୁ ପ୍ରମୁଖଙ୍କ ସହ ଟିମ ସଦସ୍ୟଙ୍କ ଉପସ୍ଥିତିରେ ହିନ୍ଦୁ ରୀତିରେ ଶବ ସତ୍କାର କରାଯାଇଥିଲା । ମୃତ ବ୍ୟକ୍ତିଙ୍କ ଦାଦା ପୁଅ ଭାଇ ସଞ୍ଜିବ ଜାନା ମୁଖାଗ୍ନି ଦେଇଥିଲେ ।