ମୁମ୍ବାଇଠୁ ପ୍ରତିଶୋଧ ନେଇ ଦିଲ୍ଲୀ ଶୀର୍ଷରେ: ଗୁଜରାଟକୁ ହରାଇ ପ୍ଲେ-ଅଫ୍‌ରେ ୟୁପି

ମୁମ୍ବାଇ,ଏଜେନ୍ସି: ଚଳିତ ମହିଳା ପ୍ରିମିୟର୍ ଲିଗ୍‌ରେ ସୋମବାର ମୁମ୍ବାଇ ଇଣ୍ଡିଆନ୍ସଠାରୁ ପ୍ରତିଶୋଧ ନେବା ସହ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲ୍ ଶୀର୍ଷକୁ ଲମ୍ଫ ମାରିଛି। କ୍ରମାଗତ ୫ ବିଜୟ ସହ ଶୀର୍ଷ ସ୍ଥାନ ଦଖଲ କରିଥିବା ହର୍ମନପ୍ରୀତ୍‌ କୌରଙ୍କ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ପରାଜୟ ସହ ଦ୍ବିତୀୟ ସ୍ଥାନକୁ ଖସିଯାଇଛି। କିନ୍ତୁ ସୋମବାରର ଦୁଇ ମ୍ୟାଚ୍‌ ପରେ ମୁମ୍ବାଇ, ଦିଲ୍ଲୀ, ୟୁପି‌ ପ୍ଲେ ଅଫ୍‌ ସ୍ଥାନ ପକ୍କା କରି ନେଇଛନ୍ତି। ଆର୍‌ସିବି ଓ ଗୁଜରାଟ ଜାଏଣ୍ଟସର ସୁଯୋଗ ଖତମ ହୋଇଯାଇଛି।

ସୋମବାର ଦ୍ରୁତ ବୋଲରଙ୍କୁ ଖେଳିନପାରି ମୁମ୍ବାଇ ଇଣ୍ଡିଆନ୍ସ ୧୦୯/୮ରେ ସୀମିତ ରହିଥିଲା। ପୂଜା ବସ୍ତ୍ରକାର (୨୬), ହର୍ମନପ୍ରୀତ୍‌ କୌର୍ (୨୩), ଇସି ୱଙ୍ଗ୍ (୨୩), ଅମନଜୋତ୍ କୌର୍‌ (୧୯) କେବଳ ଦୁଇ ଅଙ୍କ ଛୁଇଁ ପାରିଥିଲେ। ମାରିଜାନ୍ କାପ୍‌, ଶିଖା ପାଣ୍ଡେ, ‌ଜେସ୍‌ ‌ୟୋନାସେନ୍‌ ପ୍ରତ୍ୟେକ ୨ ୱିକେଟ୍‌ ନେଇଥିଲେ। ଜବାବରେ ଦିଲ୍ଲୀ କେବଳ ଶେଫାଳି ବର୍ମା (୧୫ ବଲ୍‌ରୁ ୩୩)ଙ୍କ ୱିକେଟ୍ ହରାଇ ୯ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଅଧିନାୟିକା ମେଗ୍ ଲାନିଙ୍ଗ (୨୨ ବଲରୁ ୩୨* ରନ୍) ଏବଂ ଆଲିସ୍ କାପସେ (୧୭ ବଲ୍‌ରୁ ୩୮* ରନ୍‌) ଦଳର ରନ୍‌ ହାର ବଢ଼ାଇବା ସହ ବୃହତ ବିଜୟ ଦେଇଥିଲେ। ସୂଚନାଯୋଗ୍ୟ, ଲିଗ୍ ପର୍ଯ୍ୟାୟର ପୂର୍ବ ମୁକାବିଲାରେ ଦିଲ୍ଲୀକୁ ମୁମ୍ବାଇ ୮ ୱିକେଟ୍‌ରେ ପରାସ୍ତ କରିଥିଲା। ଏବେ ଦିଲ୍ଲୀ ୯ ୱିକେଟ୍‌ରେ ଜିତି ମଧୁର ପ୍ରତିଶୋଧ ନେଇଛି। ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର୍‌ କାପ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ସଂକ୍ଷିପ୍ତ ସ୍କୋର:

ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୦୯/୮ (ପୂଜା ବସ୍ତ୍ରକାର-୨୬, ହର୍ମନପ୍ରୀତ୍ କୌର୍‌-୨୩, ଇସି ୱଙ୍ଗ-୨୩, ମାରିଜାନ୍ କାପ୍‌-୨/୧୩, ଶିଖା ପାଣ୍ଡେ-୨/୨୧, ଜେସ୍‌ ୟୋନାସେନ୍‌-୨/୨୫, ଅରୁନ୍ଧତୀ ରେଡ୍ଡୀ-୧/୧୦)।

ଦିଲ୍ଲୀ କ୍ୟାପିଟାଲ୍ସ ୯ ଓଭରରେ ୧୧୦/୧ (ଶେଫାଳି ବର୍ମା-୩୩, ଆଲିସ୍ କାପସେ-୩୮*, ମେଗ୍‌ ଲାନିଙ୍ଗ-୩୨*, ହେଲେ ମାଥ୍ୟୁସ-୧/୨୭)।