ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ରାମପୁରସ୍ଥିତ ହରିଜନପଡ଼ାକୁ ବିଦ୍ୟୁତ ଦେୟ ଆଦାୟ ପାଇଁ ଯାଇଥିବା ୨ ବିଭାଗୀୟ କର୍ମଚାରୀ ନିସ୍ତୁକ ମାଡ଼ ଖାଇଥିବା ନେଇ ପାଟଣାଗଡ଼ ଥାନାରେ ଅଭିଯୋଗ ହୋଇଛି । ମାଡ଼ ଖାଇଥିବା କର୍ମଚାରୀମାନେ ହେଲେ ପ୍ରତ୍ୟୁଷ କୁମାର ଦାଶ ଓ ଦୀପକ ଖମାରୀ । ଆଜି ବିଭାଗୀୟ କର୍ମଚାରୀମାନେ ଏକ ଶୋଭାଯାତ୍ରାରେ ଥାନାକୁ ଯାଇ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି ।

ମିଳିଥିବା ରିପୋର୍ଟ ମୁତାବକ, ଗତକାଲି କର୍ମଚାରୀମାନେ ରାମପୁର ହରିଜନପଡ଼ାର ଦୁର୍ଯ୍ୟୋଧନ କୁମ୍ଭାରଙ୍କ ଘରକୁ ଯାଇ ଦେୟ ମାଗିଥିଲେ । ତେବେ ମଗାଯାଇଥିବା ପରିମାଣର ଦେୟ ସେ ଦେଇପାରିବେ ନାହିଁ ବୋଲି କହିବା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଠିକ୍ ସେତିକି ବେଳେ ୨ ଜଣ ଯୁବକ ସୁରଜ ନାଗ ଓ ଗୁଡ୍ଡୁ କୁମ୍ଭାର ଆସି ପ୍ରତ୍ୟୁଷ ଓ ଦୀପକଙ୍କୁ ଏକ ପାଇପ ଯୋଗେ ନିସ୍ତୁକ ମାଡ଼ ମାରିଥିଲେ । ଉକ୍ତ ୨ଜଣଙ୍କ ବ୍ୟତୀତ କିଛି ମହିଳା ଓ ଅନ୍ୟ କେତେଜଣ ମଧ୍ୟ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପ୍ରତ୍ୟୁଷଙ୍କ ଲିଖିତ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଲାଇଥିବା ନେଇ ଥାନାଧିକାରୀ ଅନନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।