ବାଲିଗୁଡ଼ା,ଏନ୍ଏନ୍ଏସ୍: ବେଆଇନ ଗଞ୍ଜେଇ ଚୋରା ଚାଲାଣ ବେଳେ ପୁଲିସ ଚଢ଼ଉ କରି ଗଞ୍ଜେଇ ଭର୍ତ୍ତି ପିକଅପ୍ ଭ୍ୟାନ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଜଣେ ନାବାଳକକୁ ଗିରଫ କରିଛି । ଅନ୍ୟପଟେ ଘଟଣାସ୍ଥଳରୁ ଅନ୍ୟ ୩ଜଣ ମାଫିଆ ଫେରାର ହୋଇଯାଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନାଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ପୁଲିସ୍ ଟିମ୍ ପେଟ୍ରୋଲିଂ କରୁଥିବାବେଳେ ବୁଡ଼ାଗୁଡ଼ା ନିକଟରେ ପୁଲିସକୁ ଦେଖି ଏକ ପିକଅପ୍ ଭ୍ୟାନ ଦ୍ରୁତ ଗତିରେ ଯାଉଥିଲା । ଏହାର ପିଛା କରି ତିଲୋରୀ ନିକଟରେ ପୁଲିସ ଭ୍ୟାନକୁ କାବୁ କରିବାରେ ସକ୍ଷମ ହୋଇଥିବାବେଳେ ଘଟଣାସ୍ଥଳରୁ ଗାଡ଼ି ଛାଡ଼ି ୩ଜଣ ମାଫିଆ ଫେରାର ହୋଇଯାଇଥିଲେ । ଏହି ସମୟରେ ଜଣେ ନାବାଳକକୁ ପୁଲିସ ନିଜ ହେପାଜତକୁ ନେବାସହ ଗାଡ଼ି ଯାଞ୍ଚ କରିଥିଲା । ଉକ୍ତ ଭ୍ୟାନରୁ ୮୧କେଜି ୯୨୦ଗ୍ରାମ ବେଆଇନ ଗଞ୍ଜେଇ ଜବତ ହୋଇଛି । ଏନେଇ ବାଲିଗୁଡ଼ା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବାସହ ଜବତ ଗଞ୍ଜେଇ ଭୁବନେଶ୍ୱର ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ପୁଲିସ୍ ପକ୍ଷରୁ ସୂଚନା ମିଳିଛି ।