ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ପରେ ଏବେ ପାଟଣାଗଡ଼ ଅଞ୍ଚଳରେ ଅବୈଧ ଭାବରେ ବଢୁଥିବା ଅପରାଧ ଉପରେ ରୋକ ଲଗାଇବାକୁ ପାଟଣାଗଡ଼ ପ୍ରଶାସନ ଓ ପୁଲିସ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛି । ଏହିକ୍ରମେ ସରକାରୀ ସ୍ଥାନରେ ଗଢ଼ି ଉଠିଥିବା ବେଆଇନ ବାସଗୃହ ତିଆରି କରି ବାଞ୍ଜିଝାଲର ଅପରାଧୀ ସଂକୀର୍ତନ ଘିବେଲାର ୨ଟି ଢାବା ଓ ବାସଭବନ ଉପରେ ଚଢ଼ଉ କରି ଜେସିବି ମେସିନ ସାହାଯ୍ୟରେ ଭାଙ୍ଗି ଦିଆଯାଇଛି । ପାଟଣାଗଡ଼ ତହସିଲଦାର ଲକ୍ଷଣ ମାଝୀଙ୍କ ନେତୃତ୍ୱରେ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ସହ ଅତିରିକ୍ତ ତହସିଲଦାର ଧୀରଜ ପାତ୍ର, ଉପଖଣ୍ଡ ପୁଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା, ଥାନାଧିକାରୀ ଅନନ୍ତ ପ୍ରଧାନ ଓ ସେକେଣ୍ଡ ଅଫିସର ବ୍ରଜ ପଣ୍ଡା ସହଯୋଗ କରିଥିଲେ ।
ସୂଚନାଯୋଗ୍ୟ, ପୂର୍ବରୁ ସଂକୀର୍ତନଙ୍କ ନାଁରେ ପାଟଣାଗଡ଼ ଥାନାରେ ୬ଟି ବିଭିନ୍ନ ଅପରାଧିକ ମାମଲା ଥିବାବେଳେ ବର୍ତ୍ତମାନ ଚିଟକାମାଲ ଡବଲ ମର୍ଡ଼ର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ପାଟଣାଗଡ଼ ଜେଲରେ ବିଚାରଧୀନ କଏଦୀ ଭାବରେ ରହିଥିବା ନେଇ ସ୍ଥାନୀୟ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ପ୍ରକାଶ କରିଛନ୍ତି । ସେହିପରି ଲରମ୍ଭାରେ ବେଆଇନ ଭାବେ ଘର ତିଆରି କରିଥିବା ୬ଟି ବାସଭବନକୁ ପାଟଣାଗଡ଼ ତହସିଲଦାର ଜେସିବି ମେସିନ ଲଗାଇ ଭାଙ୍ଗି ଦେଇଥିବା ସୂଚନା ଦେଇଛନ୍ତି ।