ଭୁବନେଶ୍ବର,ଏଜେନ୍ସି: ମହାଶିବରାତ୍ରୀରେ ଶିବ ପଞ୍ଚାକ୍ଷରୀ ମନ୍ତ୍ରରେ କମ୍ପୁଥିଲା ଚର୍ତୁଃଦିଗ । ଦିନ ଯାକ ଉପବାସ ରହି ମନ୍ଦିର ବେଢାରେ ହଜାର ହଜାର ଶ୍ରଦ୍ଧାଳୁ ଉଜାଗର ରହି ଜାଗର ଦୀପ ଜାଳୁଥିଲେ । ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ମହାଦୀପ ଉଠିବାକୁ ଚାତକ ପରି ତାହିଁ ବସିଥିଲେ ଶ୍ରଦ୍ଧାଳୁ । ମାତ୍ର ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିରେ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଥିଲା ।
ନିର୍ଦ୍ଧାରିତ ସମୟ ଠାରୁ ୩ ଘଣ୍ଟା ବିଳମ୍ବରେ ମହାଦୀପ ଉଠିଛି । ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ନୀତି ବିଳମ୍ବର କାରଣ ହୋଇଛି ।ନିର୍ଦ୍ଧାରିତ ସମୟଠୁ ପାଖାପାଖି ୩ ଘଣ୍ଟା ବିଳମ୍ବରେ ମନ୍ଦିର ଭିତରୁ ସେବାୟତମାନେ ମହାଦୀପ ଧରି ବାହାରକୁ ଆସିଥିଲେ । ଶଙ୍ଖ ଧ୍ବନି ସାଙ୍ଗକୁ ହରିବୋଲ, ହୁଳହୁଳି, କାହାଳୀ, ମୃଦଙ୍ଗରେ ଫାଟି ପଡିଥିବା ମନ୍ଦିର ପରିସର । ଏହା ପରେ ସେବାୟତମାନେ ମହାଦୀପ ଧରି ମନ୍ଦିର ଉପରକୁ ଉଠିଥିଲେ । ବିଳମ୍ବିତ ରାତି ପ୍ରାୟ ୧ଟା ୧୦ରେ ମହାଦୀପ ଉଠିଥିଲା ।
ସେବାୟତମାନେ ମନ୍ଦିର ଚୂଡାରେ ମହାଦୀର ଖଞ୍ଜିବା ପରେ ଭକ୍ତ ସେହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଥିଲେ । ମହାଶିବରାତ୍ରୀରେ ଆରାଧ୍ୟ ଶ୍ରୀଲଙ୍ଗରାଜଙ୍କ ମନ୍ଦିର ପରିସରରେ ଏକ ଅପୂର୍ବ ଭାବମୟ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା । ମହାଦୀପ ଉଠିବା ପରେ ଉପବାସ ଭାଙ୍ଗିଥିଲେ ଶ୍ରଦ୍ଧାଳୁ ।