ପାକିସ୍ତାନର ଧମକ: ଏଣିକି ତୋପ ନୁହେଁ ସିଧା ପରମାଣୁ ଯୁଦ୍ଧ

ଇସଲାମବାଦ: ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନର କଡା ଜବାବ ଦେବାକୁ ଯାଇ ଭାରତ ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମିର (ପିଓକେ)ରେ ଆକ୍ରମଣ କରାଯାଇଥିଲା। ଏଥିରେ ପାକିସ୍ତାନର ସେନା, ବହୁ ଆତଙ୍କୀ କ୍ୟାମ୍ପ ଓ ଆତଙ୍କବାଦୀ ନିହତ ହୋଇଥିଲେ। ଭାରତର ପ୍ରତି ଜବାବରେ ପାକିସ୍ତାନ ଏବେ ରାଗରେ ଜର୍ଜରିତ। ଏନେଇ ପାକ୍ ରେଳ ମନ୍ତ୍ରୀ ଶେଖ ରସିଦ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି।

ଏଣିକି ତୋପ ଆଉ ଗୁଳିରେ ପାରମ୍ପରିକ ଯୁଦ୍ଧ ହେବ ନାହିଁ, ବରଂ ସିଧା ପରମାଣୁ ଯଦ୍ଧ ହେବ ବୋଲି ଭାରତର ନାମ ନ ନେଇ ସେ ଚେତାବନୀ ଦେଇଛନ୍ତି। ଭାରତର ଆକ୍ରମଣ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରଶୀଦ କହିଛନ୍ତି, ଏହା ଦେଶ ପାଇଁ ବଡ଼ ବିପଦ ଏବଂ ଦୁଇ ଦେଶ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇପାରେ। କିନ୍ତୁ ଆଉ ପାରମ୍ପରିକ ଯୁଦ୍ଧ ହେବ ନାହିଁ। ଯେଉଁମାନଙ୍କର ବୁଦ୍ଧି ନାହିଁ ସେମାନେ ଭାବୁଛନ୍ତି ୪/୬ ଦିନ ଟ୍ୟାଙ୍କ, ତୋପ ଚାଲିବ ଅଥବା ଯୁଦ୍ଧ ବିମାନ କିମ୍ବା ନୌସେନା ଗୁଳି ଚାଳନା କରିବ। ଆଦୌ ନୁହେଁ। ଏହା ଏକ ପରମାଣୁ ଯୁଦ୍ଧ ହେବ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ସେ ଏଭଳି ମନ୍ତବ୍ୟ ଦେବା ସହିତ ପାକିସ୍ତାନ ପାଖରେ ୧୦୦ ଗ୍ରାମ ଏବଂ ୨୫୦ ଗ୍ରାମ ଓଜନର ପରମାଣୁ ବୋମା ରହିଛି ବୋଲି କହିଥିଲେ। ତେବେ ଭାରତ-ପାକ୍ ଯୁଦ୍ଧ ହେଲେ ୨୦୨୫ ସୁଦ୍ଧା ଉଭୟ ଦେଶର ୧୨୫ ନିୟୁତ ଲୋକଙ୍କ ମୃତ୍ୟୁ ହେବ ବୋଲି ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା।