ଦେବଗଡ଼,ଏନ୍ଏନ୍ଏସ୍: ଗତ ରବିବାର ଦେବଗଡ଼ ପୌର ପରିଷଦ କାଉନସିଲ ହଲରେ ନିଆଁ ଲାଗି ପୋଡ଼ିଯିବା ଯୋଗୁ ଆଜି ଏକ ଘରୋଇ ମ୍ୟାରେଜ ହଲରେ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କ ଅଧ୍ୟକ୍ଷତାରେ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ଉପସ୍ଥିତିରେ କାଉନସିଲର ୬ଷ୍ଠ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେଡି ପୌରାଧ୍ୟକ୍ଷାଙ୍କ ନେତୃତ୍ୱରେ ନୂତନ କାଉନଶିିଲ ଗଠନ ପରଠାରୁ ବିଭିନ୍ନ ସମୟରେ ପୌର ପରିଷଦରେ ଦୁର୍ନୀତି ଅଭିଯୋଗ କରି ବିଜେପି ଓ ସ୍ୱାଧୀନ କାଉନଶିଲର ବିରୋଧ କରୁଥିବାରୁ ପୌରପରିଷଦରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ଅଗ୍ନିକାଣ୍ଡ ଘଟଣାକୁ ବିଜେପି ମନୁଷ୍ୟକୃତ ଓ ଦୁର୍ନୀତି ଘୋଡ଼ାଇବା ପାଇଁ ହୋଇଥିବା ଅଭିଯୋଗ କରିଛି । ପୌର ପରିଷଦ ଅଗ୍ନିକାଣ୍ଡ ଘଟଣାକୁ ବର୍ଣ୍ଣନା କରିବା ପାଇଁ ଖୋଦ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀ କରି ପୌର ରାଜନୀତିର ନିଆଁକୁ ଉଦଜୀବିତ କରିବା ପ୍ରୟାସରେ କୌଣସି ଊଣା ନକରି ଏହି ଘଟଣାର ସ୍ୱତନ୍ତ୍ର ତଦନ୍ତ ଦାବୀ କରିଛନ୍ତି ।
ସେହିପରି ଆଜି ପୌରପରିଷଦର ୬ଷ୍ଠ ବୈଠକ ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି । ପୌରପରିଷଦର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଉପସ୍ଥିତ କାଉନଶିଲ ସଦସ୍ୟ ସ୍ୱାଗତ କରିବା ସହ ସୌନ୍ଦର୍ଯ୍ୟକରଣ ଓ ପ୍ରତ୍ୟେକ ୱାର୍ଡରେ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା । ଏଥିସହ ପ୍ରତି ୱାର୍ଡରେ ଆପତ୍ତି ଅଭିଯୋଗ ଶୁଣାଣୀ ମାଧ୍ୟମରେ ସମ୍ପୃକ୍ତ ୱାର୍ଡ କାଉନଶିଲରଙ୍କ ଉପସ୍ଥିତିରେ ଜନସଧାରଣଙ୍କ ଦାବୀ ପୂରଣ, ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ପ୍ରତ୍ୟାହାର ପାଇଁ ସର୍ବଦଳୀୟ ଭାବେ ଦାବୀ, ସହରର ଉଭୟ ପ୍ରବେଶ ପଥରେ ତୋରଣ, ୯ନଂ ୱାର୍ଡ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ବାଇପାସ ଛକକୁ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା ଓ ୧୦ ନମ୍ବର ୱାର୍ଡ ଦେଇଯାଇଥିବା ବାଇପାସ ଛକକୁ ସମ୍ବିଧାନ ପ୍ରଣେତା ଡା. ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ ପାଇଁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିବା ପୌର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ପ୍ରକାଶ କରିଛନ୍ତି । ଏହି ବୈଠକରେ ସମସ୍ତ ୧୧ ୱାର୍ଡର କାଉନସିଲର ଉପସ୍ଥିତ ରହି ଗଠନମୂଳକ ପ୍ରସ୍ତାବ ଦେଇଥିବା ସ୍ୱାଧୀନ କାଉନସିଲର ଧର୍ମେନ୍ଦ୍ର ଦେବତା କହିଛନ୍ତି । ବୈଠକ ପୂର୍ବରୁ କୌଣସି ଅପ୍ରିତିକର ପରିସ୍ଥିତି ଆଶଙ୍କାରେ ଜଣେ ଲେଖାଏଁ ଇନ୍ସପେକ୍ଟର ଓ ସବଇନ୍ସପେକ୍ଟରଙ୍କ ସମେତ ଏକ ସେକ୍ସନ ପୁଲିସ ଫୋର୍ସ ମୁତୟନ ରହିଥିବା ଦେଖାଯାଇଥିଲା ।