ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଆଦର୍ଶ ମହାବିଦ୍ୟାଳୟରେ ଲୋକ ସେବା ପରୀକ୍ଷା ପାଇଁ ବିଦ୍ୟାର୍ଥୀମାନେ ନିଜକୁ କିପରି ପ୍ରସ୍ତୁତ କରିବେ ସେନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କେବଳ ଲୋକ ସେବା ପରୀକ୍ଷା ନୁହେଁ ବିଭିନ୍ନ ଉଚ୍ଚସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କିପରି ପ୍ରସ୍ତୁତି କରିବେ ସେସମ୍ପର୍କରେ ନିଜ ଅନୁଭୂତି ଓ ଅଭିଜ୍ଞତା ବଖାଣିଥିଲେ । ଏହି ଅବସରରେ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ସମୟରେ ଛାତ୍ରଛାତ୍ରୀମାନେ ସାମାଜିକ ଗଣମାଧ୍ୟମ ତଥା ଟେଲିଭିଜନର ମନୋରଞ୍ଜନମୂଳକ କାର୍ଯ୍ୟକ୍ରମଠାରୁ ଦୂରେଇ ରହି ପରୀକ୍ଷା ପ୍ରସ୍ତୁତିରେ ଧୌର୍ଯ୍ୟର ସହିତ ମନୋନିବେଶ କଲେ ସଫଳତା ହାସଲ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ବୁଝାଇଥିଲେ । ସେହିପରି ଉପସ୍ଥିତ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ସେମାନଙ୍କ ସନ୍ଦେହ ମଧ୍ୟ ଦୂର କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡା. ବିଜୟ କୁମାର ମହାରଣା, ସେମିନାର ଦାୟିତ୍ୱରେ ଥିବା ଅଧ୍ୟାପିକା ଶତରୁପା ମିଶ୍ର , ବରିଷ୍ଠ ଅଧ୍ୟାପକ ଡା. ପ୍ରଦୀପ କୁମାର ମିଶ୍ର, ଡା. ପ୍ରଫୁଲ୍ଲ ଚନ୍ଦ୍ର ରାଉତ ଓ ଅଧ୍ୟାପକ ବିକ୍ରମ କୁମାର ଜେନାଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ପ୍ରାୟ ୨୦୦ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।