ରାଣୀ ପଣ୍ଡାଙ୍କ ବଦଳି ଦାବୀରେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ନିର୍ବାଚିତ ଜନପ୍ରତିନିଧି

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବାରକୋଟ ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ରାଣୀ ପଣ୍ଡାଙ୍କ ବଦଳି ଦାବୀରେ ଆଜି ବାରକୋଟ ପଞ୍ଚାୟତ ସମିତିର ସମସ୍ତ ନିର୍ବାଚିତ ଜନପ୍ରତିନିଧି ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ବାରକୋଟ ବ୍ଲକରେ ଅବସ୍ଥାପିତ ସହକାରୀ ଯନ୍ତ୍ରୀ ରାଣୀ ପଣ୍ଡା ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେବାସହ ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ଠିକା କାମର ଅନୁଧ୍ୟାନ କରୁନାହାନ୍ତି । ଠିକା କାମ ବାବଦୀୟ ବିଲ ଦସ୍ତଖତ କରୁନଥିବାରୁ ବର୍ଷ ବର୍ଷ ଧରି ଠିକାଦାର ନିଜ ପ୍ରାପ୍ୟ ନପାଇ ଆର୍ôଥକ ଓ ମାନସିକ ଯନ୍ତ୍ରଣାରେ କାଳାତିପାତ କରୁଛନ୍ତି । ସେହିପରି ତାଙ୍କ ମନୋମୁଖୀ ଓ ବେପରୁଆ କାର୍ଯ୍ୟ ପାଇଁ ଅନେକ ଉନ୍ନୟନ କାର୍ଯ୍ୟ କରିବାକୁ ଠିକାଦାର ରାଜି ହେଉନଥିବାରୁ ଏହାର ପ୍ରଭାବ ଗ୍ରାମାଞ୍ଚଳର ଜନସାଧାରଣଙ୍କ ଉପରେ ପଡୁଥିବା କାରଣରୁ ତାଙ୍କୁ ହଟାଇବା ପାଇଁ ବହୁବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସେଥିପାଇଁ ଆଜି ପୂର୍ବାହ୍ନରେ ବାରକୋଟ ବ୍ଲକ ସରପଞ୍ଚ ସଂଘ ଅଧ୍ୟକ୍ଷ ପ୍ରକାଶ କୁମାର ପାଣିଙ୍କ ନେତୃତ୍ୱରେ ବାରକୋଟ ବ୍ଲକ ଅନ୍ତର୍ଗତ ସମସ୍ତ ୨୪ଟି ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି ଏକତ୍ରିତ ହୋଇ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଥିବା ଜଣାପଡ଼ିଛି ।