୭ କୁଚିଆ ମଦ ବେପାରୀ ଗିରଫ, ସିଆରପିସି ୧୧୦ରେ କୋର୍ଟ ଚାଲାଣ

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ବାରମ୍ବାର ଗିରଫ ପରେ ମଧ୍ୟ କୁଚିଆ ମଦ ବେପାରୀ ମଦ ବିକ୍ରିରୁ ନିବୃତ୍ତ ହେଉନାହାନ୍ତି । ଜାମିନ ପାଇବା ପରେ ପୁଣି ମଦ ବେପାର କରୁଛନ୍ତି । ଫଳରେ ବେଆଇନ ମଦ ବେପାରର ଅବସ୍ଥା ଯଥା ପୂର୍ବଂ ତଥା ପରଂ ରହୁଛି । ବାଲଙ୍ଗିର ପୁଲିସ ଏପରି ଅଭ୍ୟାସଗତ ଅପରାଧୀଙ୍କୁ କାବୁ କରିବା ପାଇଁ ସିଆରପିସି ୧୧୦ ଧାରାରେ କୋର୍ଟ ଚାଲାଣ କରୁଛି। ଯଦ୍ୱାରା ଜାମିନ ମିଳିବା ପରେ ପୁଣି ବେପାର ଚଳାଇବା କଷ୍ଟକର ହୋଇପଡ଼ିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

ମିଳିଥିବା ରିପୋର୍ଟ ମୁତାବକ, ବଲାଙ୍ଗିର ପୁଲିସ ସହରର ବିଭିନ୍ନ ଅଞ୍ଚଳରୁ ୭ଜଣ କୁଚିଆ ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେଥିମଧ୍ୟରେ ସିତାକାନ୍ତ ପ୍ରଧାନ, ସୁରେଶ ଭୋଇ, ରାଞ୍ଜିତ ପ୍ରଧାନ, ବିଜୟ ଗାଗରିଆ, କିଶୋର ଠେଲା ଓ ରାଜୁ ବାଗ ରହିଥିବାବେଳେ ଅନ୍ୟ ଏକ ମାମଲାରେ କୋର୍ଟ ଚାଲାଣ ହୋଇଥିବା ଶ୍ରୀକାନ୍ତ ମଟାରି ଉପରେ ମଧ୍ୟ ୧୧୦ ଧାରା ଲଗାଯାଇଛି । ତେବେ ଆଗକୁ ଆହୁରି ନିଶା ବେପାରୀଙ୍କୁ ଧରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ ତୋଫାନ ବାଗ କହିଛନ୍ତି । ଏହାଛଡ଼ା ଅନ୍ୟ ଏକ ମାମଲାରେ ଟାଉନ ପୁଲିସ ଚଢ଼ଉ କରି ବରପାଲି ପଡ଼ାରୁ ୪୭ ବୋତଲ କଫ ସିରପ ଜବତ କରିଛି ।