ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ବଜେଟ୍ରେ ଭାରତ ସରକାର ପ୍ରତିରକ୍ଷା କ୍ଷେତ୍ର ପାଇଁ ୫,୯୩,୫୭୩.୬୪ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି, ଯାହା ମୋଟ ବଜେଟ୍ର ୮ ପ୍ରତିଶତ । ଗତବର୍ଷର ବ୍ୟୟବରାଦ ତୁଳନାରେ ଏହା ୫୯ ହଜାର କୋଟି ଟଙ୍କା ଅର୍ଥାତ୍ ୧୩% ଅଧିକ । ଚଳିତ ଥର ସରକାର ନୂଆ ଅସ୍ତ୍ରଶସ୍ତ୍ର କ୍ରୟ, ସଶସ୍ତ୍ର ବଳର ଆଧୁନିକୀକରଣ, ପ୍ରତିରକ୍ଷା କ୍ଷେତ୍ର ସହିତ ଜଡ଼ିତ ଭିତ୍ତିଭୂମି ଏବଂ ଆତ୍ମନିର୍ଭର ଭାରତ ଉପରେ ବିଶେଷ ଜୋର୍ ଦେଇଛନ୍ତି । ଚଳିତ ବଜେଟ୍ରେ ପୁଞ୍ଜିଗତ ବ୍ୟୟରେ ୧୦ ହଜାର କୋଟି ଟଙ୍କା ବୃଦ୍ଧି କରି ୧.୬୨ କୋଟି ଟଙ୍କା ରଖାଯାଇଛି । ଏଥିରେ ନୂଆ ଅସ୍ତ୍ରଶସ୍ତ୍ର, ବିମାନ, ଯୁଦ୍ଧପୋତ ଏବଂ ଅନ୍ୟ ସାମରିକ ସରଞ୍ଜାମ ସାମିଲ ।
ଏହାର ଏକ ବଡ଼ ଭାଗ ସରକାରଙ୍କ ‘ମେଡ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଘରୋଇ ବଜାରରୁ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଓ ସାମରିକ ଯନ୍ତ୍ରାଂଶ କ୍ରୟରେ ଖର୍ଚ୍ଚ ହେବ । ଗତବର୍ଷ ଏହା ୧.୫୨ କୋଟି ଟଙ୍କା ଥିଲା । ଆଧୁନିକୀକରଣ ବଜେଟ୍ରେ ଚଳିତ ଥର ୬.୫%ର ସାମାନ୍ୟ ବୃଦ୍ଧି ଘଟିିଛି । ଆବଣ୍ଟିତ ବଜେଟ୍ ଅର୍ଥ ବାବଦରୁ ୨.୭୦ ଲକ୍ଷ କୋଟି ଟଙ୍କା ରାଜସ୍ୱ ବ୍ୟୟ ବାବଦରେ ରଖାଯାଇଛି । ଏହା ମଧ୍ୟରେ ସୈନ୍ୟ କର୍ମଚାରୀଙ୍କ ଦରମା ଏବଂ ପ୍ରତିଷ୍ଠାନ ରକ୍ଷଣାବେକ୍ଷଣ ଖର୍ଚ୍ଚ ସାମିଲ ।
୨୦୨୩-୨୪ ବଜେଟ୍ରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ସିଭିଲ୍) ପାଇଁ ପୁଞ୍ଜିଗତ ବ୍ୟୟବରାଦ ୮,୭୭୪ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ପୁଞ୍ଜିଗତ ବ୍ୟୟବରାଦ ଅଧୀନରେ ୧୩,୮୩୭ କୋଟି ଆବଣ୍ଟିତ କରାଯାଇଛି । ପେନ୍ସନ୍ ବାବଦରେ ଅଲଗା ଭାବେ ୧,୩୮,୨୦୫ କୋଟି ଟଙ୍କା ବ୍ୟବସ୍ଥା ହୋଇଛି । ପେନ୍ସନ୍ ବ୍ୟୟବରାଦ ସହିତ ମୋଟ ରାଜସ୍ୱ ବ୍ୟୟ ୪,୨୨,୧୬୨ କୋଟି ଟଙ୍କା ରହିବାର ଅନୁମାନ କରାଯାଇଛି ।