ନୂଆଦିଲ୍ଲୀ,ଏଜେନ୍ସି: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩ ବଜେଟରେ ଆୟକରରେ ରିହାତି ଘୋଷଣା କରିଛନ୍ତି । ପୂର୍ବରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ ଥିବା ବେଳେ ଏବେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ ହୋଇଛି । ନୂତନ ଆୟକର ସ୍ଳାବ ଅନୁଯାୟୀ ବାର୍ଷିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ଉପରେ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ ।
୩ ଲକ୍ଷରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ଉପରେ ୫ ପ୍ରତିଶତ ହାରରେ ଓ ୬ ଲକ୍ଷରୁ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାରରେ ୧୦ ପ୍ରତିଶତ ଆୟକର ଧାର୍ଯ୍ୟ କରାଯାଇଛି । ସେହିପରି ୯ରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧୫%, ୧୨ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ୨୦% ଓ ୧୫ ଲକ୍ଷରୁ ଅଧିକ ଆୟ ପାଇଁ ୩୦% ହାରରେ ଆୟକର ଧାର୍ଯ୍ୟ କରାଯାଇଛି । ଅର୍ଥାତ୍ ଯଦି ଜଣେ ବ୍ୟକ୍ତିଙ୍କର ରୋଜଗାର ୭ ଲକ୍ଷ ଟଙ୍କା ହୋଇଥାଏ, ତେବେ ସ୍ଳାବ୍ ଅନୁଯାୟୀ ତାଙ୍କର ଆୟକର ପରିମାଣ(୧୫+୧୦) ୨୫ ହଜାର ଟଙ୍କା ହେଉଥିଲେ ମଧ୍ୟ ସରକାର ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ କରିଥିବାରୁ ସେ କୌଣସି ଆୟକର ଦେବେନାହିଁ ।
ଯଦି କୌଣସି ବ୍ୟକ୍ତିଙ୍କର ବାର୍ଷିକ ରୋଜଗାର ୭ ଲକ୍ଷ ୧ ଟଙ୍କା ହୋଇଥାଏ ସେ ଏହି ସ୍ଳାବ ଅନୁଯାୟୀ ୨୫ ହଜାର ଟଙ୍କା ୧୦ ପଇସା ଆୟକର ଦେବେ । ଅର୍ଥାତ୍ ବାର୍ଷିକ ୭ ଲକ୍ଷରୁ ଅଧିକ ରୋଜଗାର କରୁଥିବା ବ୍ୟକ୍ତିମାନଙ୍କୁ ଏହି ନୂତନ ସ୍ଳାବ୍ ଅନୁଯାୟୀ ଆୟକର ଦେବାକୁ ପଡ଼ିବ । ବାର୍ଷିକ ୯ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ୪୫ ହଜାର ଟଙ୍କା ଓ ୧୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ୧.୫ ଲକ୍ଷ ଟଙ୍କା ଆୟକର ଦେବାକୁ ପଡ଼ିବ । ବର୍ତ୍ତମାନ ୧୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ୧ ଲକ୍ଷ ୮୭ ହଜାର ଆୟକର ଦେବାକୁ ପଡ଼ୁଛି ।