ଭୁବନେଶ୍ବର,ଏନ୍ଏନ୍ଏସ୍: ଗୁଳିମାଡରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଖବର ସାରା ରାଜ୍ୟକୁ ଦୋହଲାଇ ଦେଇଛି । ଦଳମତ ନିର୍ବିଶେଷରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ସନ୍ଧ୍ୟାରେ ପରଲୋକ ଖବର ପାଇବା ପରେ ସବୁଠି ଶୋକ ଦେଖିବାକୁ ମିଳିଥିଲା । ରାତି ପ୍ରାୟ ୯ଟା ସମୟରେ କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମର ଶରୀରର ବ୍ୟବଚ୍ଛେଦ ହେବା ପରେ ସେଠାରୁ ପ୍ରଥମେ ବିଧାନସଭାକୁ ଆଣାଯାଇଥିଲା । ବିଳମ୍ବିତ ରାତିରେ ବିଧାନସଭା ପରିସରରେ ସ୍ବର୍ଗତ ନବ କିଶୋର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ନିଜର ପ୍ରିୟ ନେତାଙ୍କୁ ହରାଇ ମ୍ରିୟମାଣ ହୋଇଥିଲେ ନେତା ବୃନ୍ଦ ।
ବିଧାମସଭା ବାତସ୍ପତି ବିକ୍ରମ କେଶରୀ ଆରୁଖ, ଉପ ବାଚସ୍ପତି ରଜନୀକାନ୍ତ ସିଂ, କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା, ମୋହନ ମାଝୀ, ପ୍ରଶାନ୍ତ ମୁଦୁଲି ପ୍ରମୁଖ ଶେଷ ଦର୍ଶନ କରିଥିଲେ । ନିଜର ପ୍ରିୟ ସାଥୀଙ୍କୁ ଶେଷ ବିଦାୟୀ ଜଣାଇବା ପାଇଁ ବିଧାନସଭା ପରିସରରେ ପ୍ରାୟ ୭୦ରୁ ଅଧିକ ବିଧାୟକ ଏବଂ ମନ୍ତ୍ରୀ ଉପସ୍ଥିତ ରହିଥିଲେ । ବାଚସ୍ପତି ଏବଂ ଉପ ବାଚସ୍ପତିଙ୍କ ପରେ ଜଣେଜଣେ ମନ୍ତ୍ରୀ ଏବଂ ବିଧାୟକ ତାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୂରା ପରିବେଶ ଦୁଃଖ ଏବଂ କୋହରେ ଭିଜିଥିଲା । ନବ ଦାସ ଆମର ରହେ ଶବ୍ଦରେ ପ୍ରକମ୍ପିତ ହେଉଥିଲା ବିଧାନସଭା ପରିସର । ସବୁ ନେତା ମନ୍ତ୍ରୀ ସ୍ତବ୍ଧ ହୋଇଯାଇଥିବା ବେଳେ କାହାର ପାଟିରୁ ମଧ୍ୟ ଶବ୍ଦ ବାହାରୁ ନଥିଲା । ସ୍ବାସ୍ଥ୍ୟ କ୍ଷେତ୍ରରେ ଅପୂର୍ବ ପରିବର୍ତ୍ତନ ଆଣିବାକୁ ସ୍ବପ୍ନ ଦେଖୁଥିବା ଲୋକ ଯେ ଏତେ ଶୀଘ୍ର ଆରପାରିକୁ ଚାଲିଯିବ କେହି ମଧ୍ୟ ବିଶ୍ବାସ କରିପାରୁନାହାନ୍ତି । ବିଧାନସଭାରେ ଶେଷ ଦର୍ଶନ ପରେ ତାଙ୍କ ଶରୀରକୁ ତାଙ୍କ ବାସଭବନକୁ ନିଆଯାଇଥିଲା ।