ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ହକି ବିଶ୍ୱକପ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ହକି ସମେତ ଅନ୍ୟାନ୍ୟ କ୍ରୀଡ଼ାର ପ୍ରଚାର ଉଦ୍ଦେଶ୍ୟରେ ପଞ୍ଚାୟତରୁ ଜିଲ୍ଲାସ୍ତରରେ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତ ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ୭୦ଟି ପଞ୍ଚାୟତ ଏବଂ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ବ୍ଲକସ୍ତରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରେ ବ୍ଲକସ୍ତରରେ ଚାମ୍ପିୟନ ଖେଳାଳିଙ୍କୁ ନେଇ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଗତ ୨୦ ତାରିଖରୁ ଆଜି ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କ୍ରୀଡ଼ା ମହୋତ୍ସବରେ ପ୍ରଥମଥର ପାଇଁ କିନ୍ନର, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ସାମିଲ କରାଯାଇଥିଲା । ହକି, ଫୁଟବଲ, କବାଡ଼ି, ଡିସ୍କସ ଥ୍ରୋ ଓ ଦୌଡ଼କୁଦ ଭଳି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଜିଲ୍ଲା କ୍ରୀଡ଼ା ଅଧିକାରୀ କୈବଲ୍ୟ କରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଆଜି ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ଦେବଗଡ଼ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଯୋଗଦେଇ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ୧୦୦ ମିଟର ଦୌଡ଼ରେ କୃତିତ୍ୱ ହାସଲ କରିଥିବା ବାରକୋଟ ବ୍ଲକର ବାବୁଲ ବେହେରା, ପ୍ରଦୀପ କିସାନ ଏବଂ ରିଆମାଳ ବ୍ଲକର ବବୁଲୁ କିସାନ, ୪୦୦ ମିଟର ଦୌଡ଼ରେ ଦେବଗଡ଼ ପୌରାଞ୍ଚଳରେ ଦୀପନ ସାହୁ, ବାରକୋଟ ବ୍ଲକର ସୁବିଜ୍ଞ ପ୍ରଧାନ ଓ ରିଆମାଳ ବ୍ଲକର ସାହେବ ଦେହୁରୀ, ମହିଳା କବାଡ଼ିରେ ଚାମ୍ପିୟନ ବାରକୋଟ ଓ ଉପବିଜେତା ଦେବଗଡ଼, ଫୁଟବଲରେ ଚମ୍ପିୟାନ ବାରକୋଟ ଓ ଉପବିଜେତା ତିଳେଇବଣି, ହକିରେ ଚାମ୍ପିୟନ ତିଳେଇବଣି ଓ ଉପ ବିଜେତା ରିଆମାଳ, ବରିଷ୍ଠ ନାଗରିକ ବର୍ଗରେ ଡିସ୍କସ ଥ୍ରୋ ରେ ଦେବଗଡ଼ ପୌରାଞ୍ଚଳରେ ଗୌରହରି ଷଡ଼ଙ୍ଗୀ, ଲଳିତ ମୋହନ ସାହୁ ଓ ଅଶୋକ ମିଶ୍ର, କିନ୍ନରଙ୍କ ୨୦୦ ମିଟର ଦୌଡ଼ରେ ପୌରାଞ୍ଚଳରେ ହେମାନନ୍ଦ ନାୟକ ଓ ସ୍ୱାଗତିକା ନାୟକବ ସିମରାନ ନାୟକଙ୍କୁ ଟ୍ରଫି ପ୍ରଦାନ ପୂର୍ବକ ଉତ୍ସାହିତ କରିଥିଲେ । କ୍ରୀଡ଼ା ପ୍ରତିଯୋଗିତା ଆୟୋଜନରେ ଜିଲ୍ଲା କ୍ରୀଡ଼ା ସଂସଦର ସମ୍ପାଦକ ଧୀରେନ୍ଦ୍ର କୁମାର ନାୟକଙ୍କ ସମେତ ବିଭିନ୍ନ ବିଦ୍ୟାଳୟରେ କ୍ରୀଡ଼ା ଅଧିକାରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।