ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାଙ୍କ ସହ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂହ ଓ କିଛି କୋଚ୍ଚଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଆରୋପ ଲଗାଇଛନ୍ତି । ଇତିମଧ୍ୟରେ ଘଟଣାର ସମାଧାନ କରିବା ପାଇଁ ସରକାର ଆକ୍ସନ ମୋଡରେ ଅଛନ୍ତି । ଲଗାତାର ଦ୍ୱିତୀୟ ଦିନରେ ପ୍ରଦର୍ଶନକାରୀ ଖେଳାଳିଙ୍କ ସହ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ବୈଠକ କରୁଛନ୍ତି । ଏହି ବୈଠକ ଖେଳମନ୍ତ୍ରୀଙ୍କ ଦିଲ୍ଲୀସ୍ଥିତ ଆବାସରେ ପାଖାପାଖି ସାଢ଼େ ୬ଟାରେ ଆରମ୍ଭ ହୋଇଛି । ଉକ୍ତ ବୈଠକରେ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ଭିନେଶ ଫୋଗାଟ ଓ ଅଂଶୁ ମଲ୍ଲିକ ଉପସ୍ଥିତ ଅଛନ୍ତି । କୁସ୍ତିଯୋଦ୍ଧାମାନେ ବ୍ରିଜଭୂଷଣଙ୍କ ଇସ୍ତଫା ଦାବୀ କରୁଛନ୍ତି ।

ସୂଚନାଯୋଗ୍ୟ, କୁସ୍ତିଯୋଦ୍ଧାଙ୍କ ସହ ଗତକାଲି ମଧ୍ୟ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ବୈଠକ କରିଥିଲେ । କିନ୍ତୁ ଏହାର କୌଣସି ନିଷ୍କର୍ଷ ବାହାରି ନଥିଲା ।