ଜୟପୁର,ଏନ୍ଏନ୍ଏସ୍: କୋରାପୁଟ ବସଷ୍ଟାଣ୍ଡରେ ୪ଜଣ କୁଖ୍ୟାତ ମାଓବାଦୀଙ୍କ ନାଁରେ ଏନଆଇଏ ପୋଷ୍ଟର ଲଗାଇଛି । ଏଥିରେ ସେମାନଙ୍କୁ ଧରାଇଲେ ଲୋକଙ୍କୁ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି । କୋରାପୁଟ ବସଷ୍ଟାଣ୍ଡର ବିଭିନ୍ନ ସ୍ଥାନରେ ଏହି ମାଓବାଦୀଙ୍କ ନାମରେ ପୋଷ୍ଟର ଲାଗିଥିବା ଦେଖି ଆଜି ସକାଳୁ ଲୋକଙ୍କ ମଧ୍ୟରେ ସାମାନ୍ୟ ଭୟ ସୃଷ୍ଟି ହୋଇଥିଲା । ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି(ଏନଆଇଏ)ର କୋଲକାତା କାର୍ଯ୍ୟାଳୟ ତରଫରୁ ଏହି ମୋଷ୍ଟ ୱ୍ୱାଣ୍ଟେଡ ଥିବା ମାଓବାଦୀଙ୍କ ବିରୁଦ୍ଧରେ ପୋଷ୍ଟର ଲଗାଯାଇଛି । ମାଓ ନେତା ନେଦୁରୁ ଜଗା ରାଓ, ଗଜାରାଲା ରବି, ଜୁଳୁମାରି ଶ୍ରୀନୁ ବାବୁ, ଖିଲ ରଞ୍ଜୁଙ୍କ ଉପରେ ୫ଲକ୍ଷ ଟଙ୍କାରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ରହିଛି । ସୂଚନାଦାତାଙ୍କୁ ପୁରସ୍କାର ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । କୋରାପୁଟ ସଦର ମହକୁମାରେ ୨୦୦୪ ମସିହାରେ ପୁଲିସ ଷ୍ଟେସନ ଓ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ଉପରେ ମାଓବାଦୀଙ୍କ ସଂଘବଦ୍ଧ ଚଢ଼ଉ ହୋଇଥିବା ଘଟଣାକୁ ମନେ ପକାଇ ଆଜି ପ୍ରଥମଥର ପାଇଁ ମାଓବାଦୀଙ୍କ ବିରୁଦ୍ଧରେ ଏପରି ପୋଷ୍ଟର ଲାଗିବା ଦେଖି ଲୋକଙ୍କ ମଧ୍ୟରେ ପୁଣି ମାଓବାଦୀଙ୍କୁ ନେଇ ଭୟ ଓ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହି ମାଓବାଦୀଙ୍କ ଉପରେ ଦେଶର ଅନେକ ସ୍ଥାନରେ ମାମଲା ଚାଲିଥିବାବେଳେ ଏନଆଇଏ ଦ୍ୱାରା ଏହି ପୋଷ୍ଟର ଲଗାଯାଇଥିବା କୋରାପୁଟ ଏସପି ଅଭିନବ ସୋନକର ଜଣାଇଛନ୍ତି ।