ବାଲ୍ୟ ବିବାହ ରୋକିଲା ପ୍ରଶାସନ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କନ୍ଧକେଲଗାଁ ପଞ୍ଚାୟତ ସର୍ଗିପାଳି ଗାଁରେ ପ୍ରଶାସନ ତରଫରୁ ବାଲ୍ୟ ବିବାହ ରୋକାଯାଇଥିବା ଜଣାପଡ଼ିଛି । ସର୍ଗିପାଳି ଗାଁର ଜଗବନ୍ଧୁ ସାହୁଙ୍କ ୧୬ ବର୍ଷ ୧୧ମାସର ନାବାଳିକା ଝିଅର ବିବାହ ବୁଢ଼ାବାହାଲ ପଞ୍ଚାୟତ ମାୟାମୁଣ୍ଡା ଗାଁର ଜୈନିକ ଯୁବକଙ୍କ ସହ ଆସନ୍ତା ଫେବୃଆରୀ ୮ ତାରିଖରେ ହେବାକୁ ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସବିତା ଦାଶ, ସୁପରଭାଇଜର କ୍ଷୀରୋନ୍ଦ୍ରି ସିଂ ଭୋଇ, ସଇଁନ୍ତଲା ଥାନା ଏସଆଇ ସଙ୍ଗୀତା ବେକ ଓ ଲକ୍ଷ୍ମଣ ମହାନ୍ତି ଗାଁରେ ପହଞ୍ଚିଥିଲେ । ବିବାହ କାର୍ଡ ଦେଖି ଝିଅର ଜନ୍ମ ତାରିଖ ବିଷୟରେ ପଚାରି ବୁଝିବା ପରେ ବିବାହ ବୟସ ହୋଇନଥିବାରୁ ଏହା ଆଇନ ସମ୍ମତ ନୁହେଁ ବୋଲି ତାଙ୍କ ବାପାଙ୍କୁ ବୁଝାଇଥିଲେ । ଝିଅର ବୟସ ହେଲେ ବିବାହ କରିବି ବୋଲି ବାପା ଶ୍ରୀଯୁକ୍ତ ସାହୁ ଲିଖିତ ଭାବେ ଦେବା ପରେ ବିବାହ ବନ୍ଦ କରାଯାଇଥିବା ସିଡିପିଓ ଶ୍ରୀମତୀ ଦାଶ ସୂଚନା ଦେଇଛନ୍ତି ।