କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ୨୫ତମ କେସିଙ୍ଗା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ ହୋଇଯାଇଛି । କରୋନା ଯୋଗୁ ଗତ ୨ବର୍ଷ ଧରି ଘୁମୁରା ପାଳନ କରାଯାଇ ନଥିବାବେଳେ ଚଳିତ ବର୍ଷ ବେଶ ଧୁମଧାମରେ ପାଳନ କରାଯାଇଛି । ଏହି ଅବସରରେ ପ୍ରଥମେ ବେଲଖଣ୍ଡିସ୍ଥିତ ଶୈବପୀଠରୁ ମଶାଲ ବାହାରିଥିଲା ଓ କେସିଙ୍ଗା ସହର ପରିକ୍ରମା କରି ଏକ ବିରାଟ ଶୋଭାଯାତ୍ରାରେ କେସିଙ୍ଗା ଉଚ୍ଚ ବିଦ୍ୟାଳୟ ବୁଢ଼ାରାଜା ମଞ୍ଚରେ ପହଞ୍ଚିଥିଲା । ମଶାଲ ଶୋଭାଯାତ୍ରାକୁ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଦୁଷ୍ମନ୍ତ ନାୟକ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ବିଡିିଓ ପ୍ରଫୁଲ୍ଲ କୁମାର ଓଡୁଙ୍କ ସମେତ କେସିଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ଓଡ଼ିଶା ଜୀବିକା ମିଶନର କର୍ମଚାରୀ ସ୍ୱାଗତ କରିଥିଲେ । ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ଅଧ୍ୟକ୍ଷତାରେ ଉଦଘାଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଦୀପକ କୁମାର ସାହୁ ମଞ୍ଚ ସଞ୍ଚାଳନ କରିଥିଲେ । ପରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ଓ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା ।
ସେହିପରି ଉଦଯାପନୀ ସନ୍ଧ୍ୟାର ସାରସ୍ୱତ ସମାରୋହ ସଭାରେ ମୁଖ୍ୟଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଯୋଗଦେଇ ଜିଲ୍ଲାର ଲୋକ ସଂସ୍କୃତି ଓ ପରମ୍ପରା ଉପରେ ମତପୋଷଣ କରି କଳାହାଣ୍ଡି ଉତ୍ସବ ଘୁମୁରା ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ । ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ଭାବେ କଳାହାଣ୍ଡି ଉପନିବନ୍ଧକ କ୍ଷିରୋଦ ବାଗ, ସମ୍ମାନିତ ଅତିଥିଭାବେ କେସିଙ୍ଗା ନଗରପାଳ ନୃପରାଜ ଯାଦବ, ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ ଓ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡୁ ମଞ୍ଚାସୀନ ରହିଥିଲେ । କାର୍ଯ୍ୟକ୍ରମକୁ ଜ୍ଞାନେନ୍ଦ୍ର ଭୋଇ ପରିଚାଳନା କରିଥିବାବେଳେ ରୁକୁ ସୁନାଙ୍କ ଦଳକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଶେଷରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଦ୍ଧେଶ୍ୱର ମେହେର ଧନ୍ୟବାଦ ଦେଇଥିଲେ ।