ଟିଟିଲାଗଡ଼,ଏନ୍ଏନ୍ଏସ୍: ଟିଟିଲାଗଡ଼ ସହର ନିକଟସ୍ଥ ଶାନ୍ତିନଗରରେ ରହୁଥିବା କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ଅନ୍ତଃର୍ଜାତୀୟ ସାମାଜିକ ସଂଗଠନ ଗୁଞ୍ଜ ସାମାଜିକ ଅନୁଷ୍ଠାନ ତରଫରୁ କମ୍ବଳ ପ୍ରଦାନ କରାଯାଇଛି । ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟାଯାଇଥିବା ଜଣାପଡ଼ିଛି । ସେବା ଅନୁଷ୍ଠାନ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲା । ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ମଧୁ ବାଗ, ବିଭୁ ପ୍ରସାଦ ଶିକା ଓ ରାଜିନ୍ଦ୍ର ବେନିଆ ଉପସ୍ଥିତ ଥିଲେ ।
ସେହିପରି ଟିଟିଲାଗଡ଼ ସହର କୁମୁଡା ପାହାଡ଼ ପାଦ ଦେଶରେ ଥିବା ଶିବ ମନ୍ଦିର ନିକଟରେ ଅନେକ ଅସହାୟ ପରିବାର ତମ୍ବୁ ଲଗାଇ ରହୁଥିବାବେଳେ ଆଜି ଟିଟିଲାଗଡ଼ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ଗୁଞ୍ଜ ଅନୁଷ୍ଠାନର ଅଶୋକ ବେହେରା, ଗଣମାଧ୍ୟମ ପ୍ରତିନିଧି ସଞ୍ଜୟ ବେହେରା, ସେବା ଅନୁଷ୍ଠାନର ଡିଙ୍ଗର ତାଣ୍ଡି, ସୁକାନ୍ତି କୁମ୍ଭାର ଓ ସୋନାଲି ଛତ୍ରୀୟା ପ୍ରମୁଖ ୧୨ଟି ପରିବାରର କୁନି କୁନି ପିଲା ତଥା ମହିଳା ଏବଂ ପୁରୁଷଙ୍କୁ କମ୍ବଳ ବାଣ୍ଟିଛନ୍ତି । ଏହି ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମକୁ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ଦୀପ ଖୁବ୍ ପ୍ରଶଂସା କରିଛନ୍ତି ।