ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ମଦ ଦୋକାନ ନବୀକରଣ ନ କରିବାକୁ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । କେଳାପଡ଼ା ପଞ୍ଚାୟତ ସରପଞ୍ଚ ସ୍ୱର୍ଣଲତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାମସଭାରେ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିବାବେଳେ ମଦ ଦୋକାନ ଲାଇସେନ୍ସ ନବୀକରଣ ନ କରିବାକୁ ଆଲୋଚନା ହୋଇଥିଲା । ଏଥିରେ ମଦ ଦୋକାନ ହେବା ଦ୍ୱାରା ଅଞ୍ଚଳରେ ହତ୍ୟା, ଦୁଷ୍କର୍ମ, ଦୁର୍ଘଟଣା, ପାରିବାରିକ କଳହ, ଚୋରି ଓ ଅସାମାଜିକ କାର୍ଯ୍ୟ ଭଳି ଅପରାଧ ଘଟୁଥିବାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ପୂର୍ବରୁ କରାଯାଇଥିବା ମଦ ଦୋକାନ ୨୦୨୩/୨୦୨୪ ବର୍ଷ ପାଇଁ ନବୀକରଣ କରିବାକୁ ଚିଠି ଆସିଥିବାବେଳେ ଏହି ମଦ ଦୋକାନକୁ ନବୀକରଣ ନ କରିବା ଲାଗି ଉପସ୍ଥିତ ପଞ୍ଚାୟତବାସୀ ଦାବୀ କରିଥିଲେ । ଅନ୍ୟପଟେ ପୂର୍ବରୁ ଗ୍ରାମପଞ୍ଚାୟତର ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମଦ ଦୋକାନ ବନ୍ଦ ଏବଂ ନବୀକରଣ ନ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ସରପଞ୍ଚ ସ୍ୱର୍ଣ୍ଣଲତା ପ୍ରଧାନ ଉପସ୍ଥିତ ଜନସାଧାରଣଙ୍କ ମଦ ଦୋକାନ ଲାଇସେନ୍ସ ନବୀକରଣ ନେଇ ଆଲୋଚନା କରିଥିବାବେଳେ ସେମାନେ ଦୋକାନ ନବୀକରଣ ନ କରିବାକୁ ପ୍ରସ୍ତାବ ଦେଇଥିଲେ । ସେଥିପାଇଁ ପୁଣିଥରେ ଆଗାମୀ ୧୭ ତାରିଖରେ ବୈଠକ ଅନୁଷ୍ଠିତ କରିବା ସହ ଜିଲ୍ଲାପାଳଙ୍କୁ ଲିଖିତ ପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା । ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ନିଶା ଓ ଦୁର୍ନୀତି ମୁକ୍ତ ଅଭିଯାନ ମଞ୍ଚର ଆବାହକ ସୁଧୀର କୁମାର ସାହୁ ଯୋଗ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଦୁଃଖୀ ଶ୍ୟାମ ନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଚିତ୍ତ ରଞ୍ଜନ ଦିଗାଲ୍, ପ୍ରଦୀପ ନାୟକ, ଈଶ୍ୱର ବେହେରାଙ୍କ ସହ ବହୁ ସମାଜସେବୀ ଓ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସମାଜସେବୀ ଅକ୍ଷୟ କୁମାର ନାୟକ ପରିଚାଳନା କରିଥିଲେ ।