ଜୟପୁର,ଏନ୍ଏନ୍ଏସ୍: ଜୟପୁରର ଶେଷ ରାଣୀ ରମା କୁମାରି ଦେବୀଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଜୟପୁରସ୍ଥିତ ମୋତି ପେଲେସରେ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଥିବା ଜଣାପଡ଼ିଛି । ରାଣୀଙ୍କ ବିୟୋଗରେ ଜୟପୁର ରାଜପ୍ରାସାଦରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା । ମୃତ୍ୟୁ ସମୟରେ ଶେଷ ରାଣୀଙ୍କ ନିକଟରେ ସାନ ବୋହୁ ସାରିକା ଦେବି ଓ ନାତି ଚନ୍ଦ୍ରଚୂଡ଼ ଦେବ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ଶୁଣି ବଡ଼ ବୋହୂ ମାୟାଙ୍କ ଦେବୀ ପ୍ରାସାଦରେ ପହଞ୍ଚିଥିଲେ । ଆଜି ରାଜକୀୟ ପରମ୍ପରା ଅନୁସାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ମୋତି ପେଲେସରୁ ରାଣୀ ମା’ଙ୍କ ମର ଶରୀରକୁ ଏକ ବିରାଟ ଶୋଭଯାତ୍ରାରେ ସହରର ଚନ୍ଦନବାଡ଼ସ୍ଥିତ ରାଜ ଶ୍ମଶାନକୁ ନିଆଯାଇଥିଲା । ସେଠାରେ ରାଜାଙ୍କ ପୌଷ୍ୟ ନାତି ବିନାୟକ ସୁଆର ମୁଖାଗ୍ନି ଦେଇଥିଲେ । ବିଧାୟକ ତାରା ପ୍ରସାଦ ବାହିନୀପତି ଦୁଃଖପ୍ରକାଶ କରି ଅମର ଆତ୍ମାର ସଦଗତି କାମନା କରିଥିଲେ । ରାଜପ୍ରାସାଦରେ ଉପଜିଲ୍ଲାପାଳ ବେଦବର ପ୍ରଧାନ, କଂଗ୍ରେସ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ତହସିଲଦାର ପ୍ରଧାନ ଟୁଲ୍ଲି ଆମ୍ମା, ପୌର କାର୍ଯ୍ୟନର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଏସଡିପିଓ ଅରୁପ ଅଭିଷେକ ବେହେରା, ଟାଉନ ଥାନାଧିକାରୀ ସମ୍ବିତ ବେହେରା, ପୌର ଉପାଧ୍ୟକ୍ଷ ବି. ସୁନିତାଙ୍କ ସମେତ ଜୟପୁରବାସୀ ଉପସ୍ଥିତ ଥିଲେ । ଜୟପୁର ରାଜ ପ୍ରସାଦର ଶେଷ ରାଜା ରାମ କୃଷ୍ଣ ଦେଓଙ୍କ ପତ୍ନୀ ହେଉଛନ୍ତି ରମା କୁମାରି ଦେବୀ । ରାଣୀ ଆନ୍ଧ୍ରପ୍ରଦେଶର ମଡଗୁଲରେ ବିଧାୟିକା ମଧ୍ୟ ଥିଲେ ।