ଶ୍ରୀନଗର,ଏଜେନ୍ସି: ଶ୍ରୀନଗରରେ ଗ୍ରେନେଡ ମାଡ । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍ପିଏଫ୍) ଯବାନଙ୍କ ଗାଡି ଉପରକୁ ଗ୍ରେନେଡ ମାଡ ହୋଇଥିବା ସୂଚନା । ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି । ଶ୍ରୀନଗରର ଏମ.କେ ଚୌକ୍ ଠାରେ ଏହି ଘଟଣା ଘଟିଥିଲା ।
ଶ୍ରୀନଗରର ଏମ.କେ ଚୌକର ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ କେହି ଦୁର୍ବୃତ୍ତ ସିଆର୍ପିଏଫ୍ ଗାଡି ଉପରକୁ ଗ୍ରେନେଡ ଫିଙ୍ଗିବାକୁ ଉଦ୍ୟମ କରିଥିଲା । କିନ୍ତୁ ସୌଭାଗ୍ୟବସତଃ ଗ୍ରେନେଡଟି ସ୍ଥାନୀୟ ଜଣେ ଯୁବକଙ୍କୁ ବାଜିଥିଲା । ଫଳରେ ସେ ସାମାନ୍ୟ ଆହତ ହୋଇଥିଲେ । ତେବେ କିଏ ଏପରି କାଣ୍ଡ ଘଟାଇବାକୁ ଚେଷ୍ଟା କରୁଥିଲା ସେନେଇ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ଶ୍ରୀନଗର ପୁଲିସ ତରଫରୁ ସୂଚନା ମିଳିଛି ।
ସେହିପରି ଗତକାଲି ଜମ୍ମୁ କାଶ୍ମୀରର ରଜୌରୀରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା । ଯେଉଁଥିରେ ୪ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ଗୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହା ଏକ ଆତଙ୍କୀ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ରଜୌରୀର ଦାଙ୍ଗୀରରେ ୩ଟି ଘର ଉପରେ ଦୁଇ ଜଣ ଦୁର୍ବୃତ୍ତ ଆସି ଗୁଳିକାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ବର୍ତ୍ତମାନ ସୁଦ୍ଧା କିଏ ଏହି ଗୁଳିକାଣ୍ଡ ଘଟାଇ ଫେରାର ହୋଇଗଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।