କାମ୍ପାଲା,ଏଜେନ୍ସି: ଉଗାଣ୍ଡାରେ ନୂଆବର୍ଷ ପାଳନ ବେଳେ ଅଘଟଣ । ମଲରେ ଦଳଚକଟା ହୋଇ ଅତିକମରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନେକ ଆହତ ହୋଇଛନ୍ତି । ପୂର୍ବ ଆଫ୍ରିକୀୟ ଦେଶ ଉଗାଣ୍ଡାର କାମ୍ପାଲ ସ୍ଥିତ ଫ୍ରିଡମ୍ ସିଟି ମଲରେ ଏହି ଅଘଟଣ ଘଟିଥିଲା ।
ପୁଲିସ ସୂଚନା ଅନୁଯାୟୀ, ଶନିବାର ମଧ୍ୟରାତ୍ରୀରେ ଜିରୋନାଇଟ ସେଲିବ୍ରେସନ ପାଇଁ କାମ୍ପାଲ ସ୍ଥିତ ଫ୍ରିଡମ୍ ସିଟି ମଲରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ । ଆତସବାଜି ଦେଖିବାକୁ ଲୋକଙ୍କୁ ମଲ ବାହାରକୁ ଡକାଯାଇଥିଲା । ପ୍ରଦର୍ଶନ ଶେଷ ହେବାପରେ ଦୌଡ଼ାଦୌଡ଼ି ଆରମ୍ଭ ହୋଇଥିଲା । ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।
ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଅନେକ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ବେଳେ ଅନ୍ୟ ୪ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଅବହେଳା ଏବଂ ଭିଡ଼ ନିୟନ୍ତ୍ରଣ କରାନଯିବାରୁ ଏହି ଘଟଣା ଘଟିଥିବା ଉଗାଣ୍ଡା ପୁଲିସ କହିଛି । ଏନେଇ ପୁଲିସ ପକ୍ଷରୁ ତଦନ୍ତ କରାଯାଉଛି ।