ସେନା ଗୁଳିରେ ୩୩ ଆତଙ୍କୀ ନିହତ, ବନ୍ଧକ ଥିବା ଅଧିକାରୀ ମୁକ୍ତ

ଇସଲାମବାଦ,ଏଜେନ୍ସି: ଦୀର୍ଘ ୪୦ ଘଣ୍ଟାର ଘମାଘୋଟ ଲଢେଇ ପରେ ଆତଙ୍କୀଙ୍କ କବଳରେ ଥିବା ଥାନା ଅଧିକାରୀଙ୍କୁ ମୁକୁଳାଇବାରେ ସଫଳ ହୋଇଛି ପାକିସ୍ତାନ ସେନା । ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ବନ୍ନୁ ଜିଲ୍ଲାରେ ତେହରିକ ଏ ତାଲିବାନ ପାକିସ୍ତାନ ଆତଙ୍କବାଦୀ ଥାନା କବଜା କରି ଅଧିକାରୀଙ୍କୁ ବନ୍ଧକ ରଖିଥିଲେ । ତେବେ ଏହି ଡ୍ରାମା ମଙ୍ଗଳବାର ଦିନ ଶେଷ ହୋଇଛି । ପାକସେନା ସ୍ବତନ୍ତ୍ର ବାହିନୀର କାର୍ଯ୍ୟାନୁଷ୍ଠାନରେ ୩୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ତେବେ ପାଲଟା ଗୁଳିରେ ପାକିସ୍ତାନର ଦୁଇ ସୈନ୍ୟଙ୍କ ମୃତ୍ୟୁ ହୋଇଛି । ଏନେଇ ପାକ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ସୂଚନା ଦେଇଛନ୍ତି । ତେବେ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସେନାର ସ୍ବତନ୍ତ୍ର ବାହିନୀ ୧୫ ମିନିଟର ଅଭିଯାନରେ ୩୩ ଆତଙ୍କବାଦୀଙ୍କୁ ନିପାତ କରିବା ସହ ବନ୍ଧକ ଥିବା ଅଧିକାରୀଙ୍କୁ ମୁକୁଳାଇଛି ।

ସୂଚନାଅନୁସାରେ, ଗତ ରବିବାର ଦିନ ଟିଟିପି ଆତଙ୍କବାଦୀ ଜଣେ ମେଜର ସମେତ ୪ଜଣ ସୈନ୍ୟଙ୍କୁ ବନ୍ଧକ ରଖିଥିଲେ । ଏହାର ସମାଧାନ ପାଇଁ ପାକିସ୍ତାନ ୧୬ ଜଣିଆ ମୌଲବୀଙ୍କ ଏକ ଟିମକୁ ଆଫଗାନିସ୍ତାନ ପଠାଇଥିଲା । ଟିଟିପି ଆତଙ୍କୀଙ୍କୁ ଆତ୍ମ ସମର୍ପଣ କରିବା ପାଇଁ ତାଲିବାନକୁ ବୁଝାଇବା ପାଇଁ ଏହି ଟିମକୁ ପଠାଯାଇଥିଲା । ତେବେ ଆଲୋଚନା ଦ୍ବାରା ସମାଧାନ ପାଇଁ ପାକିସ୍ତାନ ସରକାର ଚେଷ୍ଟା କରିଥିଲେ ହେଁ ସଫଳ ହୋଇପାରିନଥିଲେ । ବନ୍ଦୀଥିବା ଆଫଗାନିସ୍ତାନ କଏଦୀଙ୍କୁ ମୁକ୍ତ କରିବା ପାଇଁ ଆତଙ୍କବାଦୀମାନେ ଦାବି କରିଥିଲେ ।